ସମ୍ଭାବ୍ୟ ବାତ୍ୟା ମୁକାବିଲା କାର୍ଯ୍ୟରେ ଅବହେଳା : ଦୁଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର (ଓ୍ବାଇଏନଏସ) : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଥିବା ବେଳେ ବିନା ଅନୁମତିରେ କୌଣସି ଅଧିକାରୀ ହେଡକ୍ୱାର୍ଟର ନ ଛାଡିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୁଲି ଗଞ୍ଜାମ ଜିଲ୍ଲାପାଳ ନିଜେ ସେଠାକାର ସ୍ଥିତି ପରଖିଥିଲେ । ବାତ୍ୟା ମୁକାବିଲା କାର୍ଯ୍ୟରେ ଅବହେଳା କରିଥିବାରୁ ଜିଲ୍ଲାରେ ଦୁଇ ଜଣ ଅଧିକାରୀଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଏବିଡ଼ିଓ ସୁଶାନ୍ତ କୁମାର ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଶେରଗଡ ବ୍ଲକର ବରିଷ୍ଠ କିରାଣୀ ସଦାନନ୍ଦ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ଉଭୟ ଅଧିକାରୀ ବାତ୍ୟା ମୁକାବିଲା କାର୍ଯ୍ୟରେ ସହ ଯୋଗ ନ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।


