ନଦୀତଟ ଗ୍ରାମବାସୀଙ୍କୁ ସତର୍କ କରାଇଲା ଘୋଡାହାଡ ଡ଼୍ୟାମ କର୍ତ୍ତୃପକ୍ଷ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ଘୋଡାହାଡ ଡ଼୍ୟାମ ଜଳସେଚନ ବିଭାଗ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଜଳଭଣ୍ଡାରରୁ ନଦୀ ଯୋଗେ ପାଣି ଛଡ଼ା ଯାଇପାରେ ବୋଲି ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଶୁକ୍ରବାର ସୂଚନା ଦିଆଯାଇଥିବା ଜଣାପଡିଛି । ଯେହେତୁ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୬୬ ପ୍ରତିଶତ ଅର୍ଥାତ୍ ୧୧୪.୮୦ ମିଟର ପାଣି ଗଚ୍ଛିତ ରହିଛି । ଏହି ପରିପ୍ରେକ୍ଷୀରେ ଲଘୁଚାପ ପ୍ରଭାବରୁ ଆହୁରି ଦୁଇଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ତେଣୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଜଳଭଣ୍ଡାରରେ ଜଳର କ୍ଷମତା ବୃଦ୍ଧି ହୋଇପାରେ । ଯାହାଫଳରେ ଡ଼୍ୟାମ ର ସୁରକ୍ଷା ଦୃଷ୍ଟିରୁ ଡ୍ଯାମରୁ ପାଣି ଛଡ଼ାଯିବ। ପାଣିରେ ଡ଼୍ୟାମ ମଧ୍ୟରୁ କୁମ୍ଭୀର ଚାଲିଯାଇ ପାରନ୍ତି ବୋଲି ଦିଗପହଣ୍ଡି ସ୍ଥିତ ଘୋଡାହାଡ଼ ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ତେଣୁ ଘୋଡାହାଡ ନଦୀ କୁଳିଆ ଗ୍ରାମବାସୀ ମାନେ ନଦୀକୁ ଯିବା କିମ୍ବା ଗୃହପାଳିତ ପଶୁଙ୍କୁ ନ ଛାଡ଼ିବା ପାଇଁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି ।