ଘୁମୁସର ଜିଲ୍ଲା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଗୁଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ବୁଗୁଡା , (ଅନୀଲ କୁମାର ମହାରଣା) : ଘୁମୁସର ଜିଲ୍ଲା ପ୍ରତିଷ୍ଠା ଦାବି କରି ସେପ୍ଟେମ୍ବର ୧୫ ତାରିଖରେ ବୁଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବୁଗୁଡା ବ୍ଲକ ଓ ଏନଏସିର ବୁଦ୍ଧିଜୀବୀ, ଆଇନଜୀବୀ, ବ୍ୟବସାୟୀ ଓ ସାମ୍ବାଦିକ ବୃନ୍ଦ ଏକ ବୈଠକରେ ଏକାଠି ହୋଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ବୁଗୁଡା ତହସିଲଦାର ତାପସ ରାଉତଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ୍ତର ମୁଖ୍ୟ ଚିତ୍ତରଞ୍ଜନ ଦାସଙ୍କ ଆହ୍ବାନ ଓ ସଂଯୋଜନା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଭଞ୍ଜନଗର ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଓ ରବି ନାରାୟଣ ସାମନ୍ତ ଯୋଗଦେଇ ଘୁମୁସର ଜିଲ୍ଲା ଦାବି ନେଇ ବିଭିନ୍ନ ସମୟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ପ୍ରକାଶ କରିଥିଲେ। ବୈଠକରେ ବୁଗୁଡା ଆଇନଜୀବୀ ସଂଘ ପକ୍ଷରୁ ଭକ୍ତରାମ ଦାସ, ଅମର କୁମାର ପଟ୍ଟନାୟକ (ସଭାପତି), ପ୍ରଭାତ କୁମାର ଜେନା, ସୀମାଞ୍ଚଳ ନନ୍ଦ (ସମ୍ପାଦକ), ସତ୍ୟନାରାୟଣ ମିଶ୍ର (ଉପସଭାପତି), ପ୍ରକାଶ ଚନ୍ଦ୍ର ଭୂୟାଁ ଓ ଶ୍ରୀକାନ୍ତ କୁମାର ଶତପଥୀ, ବୁଦ୍ଧିଜୀବୀ ଅବସର ପ୍ରାପ୍ତ ପ୍ରିନ୍ସପାଲ ରଘୁନାଥ ସାହୁ ଓ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର, ଚେମ୍ବେର ଅଫ କମର୍ସ ପକ୍ଷରୁ ସଭାପତି ସତ୍ୟନାରାୟଣ ଦାଶ, ଏସ ମନୋଜ କୁମାର ପୃଷ୍ଟି ଓ ପ୍ରଦୀପ କୁମାର ପୃଷ୍ଟି ଏବଂ ପ୍ରେସ ବ୍ଲକ ସଭାପତି ଅନିଲ କୁମାର ମହାରଣାଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରେ ସଭା ଶେଷରେ ସମସ୍ତେ ତହସିଲ କାର୍ଯ୍ୟାଳୟକୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଘୁମୁସର ଜିଲ୍ଲା ଘୋଷଣା କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ।