ଶୁଖିଲା ପଡିଛି ଗୋବରୀ ଓ ଗୋଳା ନାଳ: ପାଣି ଅଭାବରୁ ଚାଷୀ ହତାଶ

ନାଉଗାଁ,(ଓ୍ବାଇଏନଏସ): ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଆଶାନୁରୂପ ବର୍ଷା ହୋଇ ନାହିଁ। ଯାହାଫଳରେ ଚାଷ କାର୍ଯ୍ୟ ପଛାଇଛି। ଏହି ବ୍ଳକର ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ନିଅଁଟିଆ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ରୁଆ ରୋଇ କାର୍ଯ୍ୟ ସରିପାରୁନାହିଁ। ଯାହାଫଳରେ ଅଣଜଳସେଚିତ ଅଂଚଳରେ ଥିବା ଚାଷ ଜମିରେ ଚାଷ କରିବା କଷ୍ଟ ସାଧ୍ୟ ହୋଇ ପଡିଛି। ବ୍ଳକରେ କିଛି ଚାଷୀ ବ୍ୟକ୍ତିଗତ ଉଠାଜଳସେଚନ,ସରକାରୀ ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବେଳେ ଅନେକ ଚାଷୀ କେନାଲ ପାଣି ଉପରେ ନିର୍ଭର କରି ଧାନ ଚାଷ କରିଛନ୍ତି। ଏହି ବ୍ଳକ ଦେଇ ପ୍ରବାହିତ ଗୋବରୀ ଓ ଗୋଳା ଏବଂ ବାଉଁଶ ଯୋରୀ ନାଳର ପାଣିକୁ ସ୍ଲୁଇସ୍ ଗେଟ ମାଧ୍ୟମରେ ଅଟକା ଯାଇ ମରୁଡି କିମ୍ବା ନିଅଁଟିଆ ବର୍ଷା ସମୟରେ ଚାଷୀମାନେ ଚାଷ କାର୍ଯ୍ୟରେ ଲଗାଇଥାନ୍ତି। ଗୋବରୀ ଓ ଗୋଳା ନାଳର ଉଦବୃତ ଜଳ ନିଷ୍କାସନ ଓ ପାଣି ଅଟକାଇ ରଖିବା ପାଇଁ ଗାରୋଇ ଠାରେ ଦେବୀନଦୀ ଓ ଗୋବରୀ ନାଳର ମିଶ୍ରଣସ୍ଥଳରେ ସ୍ଲୁଇସ୍ ଗେଟ ନିର୍ମାଣ କରାଯାଇଛି। ଏହି ସ୍ଲୁଇସ୍ ଗେଟରେ ୫ଟି ଫାଟକ ରହିଥିବା ବେଳେ ଏହାରର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳସେଚନ ବିଭାଗ ଅଧିନରେ ରହିଛି। ୫ଟି ଫାଟକ ମଧ୍ୟରୁ ଗୋଟିିଏ ଫାଟକର ବେରିଂ ନଷ୍ଟ ହୋଇ ଯିବା ଦ୍ୱାରା ତାହା ଏବେ ଅଚଳ ହୋଇପଡିଛି। ବର୍ତମାନ ୪ଟି ଫାଟ୍‌କ ବନ୍ଦ ରହିଥିବା ବେଳେ ଗୋଟିଏ ଫାଟକ ଖୋଲା ପଡିଛି। ଯାହାଫଳରେ ଗୋବରୀ ଓ ଗୋଳା ନାଳରେ ଥିବା ପାଣି ଏହି ଖୋଲା ଫାଟକ ଦେଇ ଦେବୀନଦୀକୁ ନିଷ୍କାସିତ ହୋଇଯାଉଛି। ଜଳ ନିଷ୍କାସିତ ହେବା ଦ୍ୱାରା ବାଂଶ , ଶିଖର, ନାଉଗାଁ, ଡେରିକି, କୋରୁଅ, ଗଙ୍ଗଦା, ଭଟଣା, ଓଷକଣା, ନୟାସିଙ୍ଗଡା, ଅଙ୍ଗେଶ୍ୱରପଡା, ତେଂଟୋଇ, କୁରିକି ଆଦି ଗ୍ରାମର ୩ ଶହରୁ ୪ଶହ ହେକ୍ଟର ଚାଷ ଜମି ଶୁଖିଲା ପଡିଛି। ଉକ୍ତ ଚାଷ ଜମିରେ ଚାଷୀମାନେ ଏହି ୨ ନାଳର ପାଣି ବ୍ୟବହାର କରି ମରୁଡି ସମୟରେ ଚାଷ କାର୍ଯ୍ୟ କରିଥାନ୍ତି। ସେହିପରି ଆବଶ୍ୟକ ଠାରୁ ଅଧିକ ବର୍ଷା ହେଲେ ଚାଷ ଜମିରୁ ଏହି ନାଳ ଦେଇ ଦେବୀନଦୀକୁ ଉଦବୃତ ଜଳ ନିଷ୍କାସିତ ହୋଇଥାଏ। ଅଚଳ ହୋଇ ପଡିଥିବା ଫାଟକକୁ ଯଥାଶୀଘ୍ର ମରାମତି କରିବା ପାଇଁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏସଂପର୍କରେ ଜଳସେଚନ ବିଭାଗର ବାଲିକୁଦା ଏସଡିଓ ଏସ.ପି.ଜେନା ଙ୍କୁ ପଚାରିବାରୁ ଫାଟକଟିର ବେରିଂଟି ନଷ୍ଟ ହୋଇଯାଇଛି, ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ