ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା : ୮ ସରକାରୀ ଶିକ୍ଷାନୁଷ୍ଠାନ ସାମିଲ୍‍

ଆସିକା(ୱାଇଏନ୍‍ଏସ୍‍) ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ଓ ଗୁଣାତ୍ମକ ଶିକ୍ଷାର ବିକାଶ ଓ ମାନବୃଦ୍ଧି ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ୮ଟି ଶିକ୍ଷାନୁଷ୍ଠାନକୁ ସାମିଲ୍‍ କରାଯାଇଥିବାରୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମୀଣ ଅଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମାଇଲଖୁଣ୍ଟ ସଦୃଶ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର କମାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗାପୁର କ୍ଳଷ୍ଟରର ଗଙ୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାବନପୁର କ୍ଳଷ୍ଟରର ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାରିଆ କ୍ଳଷ୍ଟରର ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଟନଇ କ୍ଳଷ୍ଟରର ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭେଟନଇ ବାଳିକା ପ୍ରାଥମିକ ବିଦ୍ୟାଳୟ, ବଡଖୋଲି କ୍ଳଷ୍ଟରର ପାଣ୍ଡିଆପଥର ଜୟଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସାମିଲ୍‍ କରାଯାଇଥିବା ଆସିକା ଶିକ୍ଷାବିଭାଗ ସୂତ୍ରରୁ ଜଣାପଡିଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ୍‍ ହୋଇଥିବା ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୮ଟି ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମୀକୁ ଅନୁଧ୍ୟାନ କରି ଶିକ୍ଷାବିଭାଗ ପକ୍ଷରୁ ଅନୁମୋଦନ ପାଇଁ ପ୍ରଶାସନର ôଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ୍‍ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ନେତୃତ୍ୱରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିବରାମ ବେହେରାଙ୍କ ସମେତ ଶିକ୍ଷା ବିଭାଗର ପଦାଧିକାରୀମାନେ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଥିବା ଲକ୍ଷ୍ୟ କରାଯାଇଛି । ସରକାରୀ ଅନୁଦାନ ଆସିବା ପରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ୍‍ ହୋଇଥିବା ଆସିକା ଅଞ୍ଚଳର ୮ଟି ସରକାରୀ ଶିକ୍ଷାନୁଷ୍ଠାନର ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଯୋଜନାରେ ସାମିଲ୍‍ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ନୁଆଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଶ୍ରେଣୀକକ୍ଷ, ବାଳକ ଓ ବାଳିକାମାନଙ୍କ ନିମନ୍ତେ ପୃଥକ୍‍ ଟଏଲେଟ୍‍ ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ୍‍ ଲାଇବ୍ରେରୀ ଓ ଲାଙ୍ଗୁଏଜ୍‍ ଲ୍ୟାବ୍‍, ଖେଳପଡିଆ, ଡାଇନିଂ ହଲ୍‍, କମ୍ପ୍ୟୁଟର, ସ୍ମାର୍ଟବୋର୍ଡ, କ୍ରୀଡା ଓ ଶାରୀରିକ ବ୍ୟାୟାମ ସୁବିଧା, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ଆବଶ୍ୟକୀୟ ଭିତ୍ତିଭୂମୀକୁ ସୁଦୃଢ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ବିଶେଷକରି ବିଦ୍ୟାର୍ଥୀମାନଙ୍କ କ୍ଷେତ୍ରରେ ଭାଷାଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ସର୍ବାଧିକ ଗୁରୁତ୍ୱ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ୍‍ କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ