ଦୁର୍ଘଟଣାର ପ୍ରଥମ ଘଣ୍ଟା ଗୋଲଡେନ ଆୱାର: ଅଭିନଵ ଉପାୟରେ ଗୋଲାପ ଓ ଚକୋଲେଟ ଦେଇ ସଚେତନତା
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଆଞ୍ଚଳିକ ପରିବହନ ବିଭାଗ ତରଫରୁ କାକଟପୁର ନିକଟସ୍ଥ ନେତ୍ରାନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ପୁରୀ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା,ସଂମ୍ମାନୀତ ଅତିଥି ଅଧ୍ୟାପିକା ଅମୀୟ ବାଳା ପରିଡା, ପରିବହନ ବିଭାଗ ନିରୀକ୍ଷକ ସୁଶାନ୍ତ ପାତ୍ର, କାକଟପୁର ଥାନା ଉପନିରୀକ୍ଷକ ଅମିତ ପାଢ଼ୀ, ଏଏସଆଇ ଜୟନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ବିଗତ କିଛି ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣା ରେ ଅନେକ ମୂଲ୍ୟବାନ ଜୀବନ ଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବା ସମୟ ଆସିଯାଇଛି। ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ହେବ। ସଚେତନ ବାର୍ତ୍ତା ପ୍ରତି ଗାଁ ଓ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ। ଏହି ଅଭିଯାନରେ ସମାଜର ସବୁବର୍ଗର ବ୍ୟକ୍ତି, ଅନୁଷ୍ଠାନ, ସଂଗଠନ ଯୋଡି ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟତମ ଅତିଥି ଅଧ୍ୟାପିକା ଅମୀୟ ଵାଳା ପରିଡା ନିଜ ବକ୍ତବ୍ୟ ରେ କହିଥିଲେ ୨୦୧୯ମେ ୨୫ ତାରିଖ ବରମୁଣ୍ଡା ଫ୍ଲାଏ ଓଭର ଉପରେ ମର୍ମତୃତ ସଡ଼କ ଦୁର୍ଘଟଣା ରେ ନିଜ ପୁଅ ଗିରିଜା ପ୍ରାଣ ହରାଇଥିଲା। ସନ୍ତାନ କୁ ହରାଇ ଯନ୍ତ୍ରଣା ସମ୍ମୁଖୀନ ହେଉଛନ୍ତି। ଆଉ ଯେପରି ସଡ଼କ ଦୁର୍ଘଟଣା ରେ କାହାର ଜୀବନ ନ ଯାଉ ସେଥିପାଇଁ ପ୍ରତିବର୍ଷ ସଡ଼କ ସୁରକ୍ଷା ସଚେତନତା ପ୍ରୟାସ ଜାରି ରଖିଛନ୍ତି।ସଡ଼କ ସୁରକ୍ଷାର ସମସ୍ତ ଶୃଙ୍ଖଳାକୁ ଯଦି ଆମେ ପାଳନ କରିବା ତେବେ ଆମ ଜୀବନ ବଞ୍ଚିବା ସହ ଅନ୍ୟର ଜୀବନକୁ ମଧ୍ୟ ସୁରକ୍ଷିତ ରଖାଯାଇ ପାରିବ ବୋଲି ଅଧ୍ୟାପିକା ପରିଡା ମତ ଦେଇଥିଲେ । ଉପସ୍ଥିତ ଅତିଥି ରହି କଲେଜ ଛାତ୍ରୀ ଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିଥିଲେ। ଦ୍ରୁତଗତିରେ ଗାଡି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲି ବ୍ୟବହାର ନ କରିବା, ହେଲମେଟ ବ୍ୟବହାର କରିବା, ଡ୍ରାଇଭିଂ ଲାଇସେନ୍ସ କରିବା, ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ, ସିଟ ବେଲ୍ଟ ବ୍ୟବହାର କରିବା, ନାବାଳକ ଓ ନାବାଳିକା ଗାଡି ନ ଚଳାଇବା ଆଦି ଛାତ୍ରୀ ଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ସହ ଯଦି ଦୁର୍ଘଟଣାଗ୍ରସ୍ତ ପ୍ରଥମଘଣ୍ଟା ରେ ଡାକ୍ତରଖାନା ପହଞ୍ଚାଇଦିଅନ୍ତି ଜୀବନ ରକ୍ଷାର ଆଶା ବୃଦ୍ଧି ପାଏ। ସର୍ବଶେଷ ରେ କଲେଜ ଅଧ୍ୟାପିକା, ଅଧ୍ୟାପକ,କାକଟପୁର ପୁଲିସ ସମେତ ଛାତ୍ରୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ସହ ସଚେତନ ବାର୍ତ୍ତା ପ୍ଲାକ କାର୍ଡ ଧରି ସ୍ଲୋଗାନ ଦେଇ ମୁଖ୍ୟ ରାସ୍ତାରେ ନିୟମ ପାଳନ କରୁଥିବା ବ୍ୟକ୍ତି ମାନଙ୍କୁ ଗୋଲାପ ଓ ଚକୋଲେଟ ଦେଇ ଖୁସି ବ୍ୟକ୍ତ କରୁଥିଲେ। ଏହି କାର୍ଯ୍ୟକ୍ରମ ରେ ପୁରୀ ଆଞ୍ଚଳିକ ପରିବହନ କର୍ମଚାରୀ, ଅଧ୍ୟାପିକା, ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ।


