ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୋପବନ୍ଧୁ ହାଇସ୍କୁଲ ବିଜୟୀ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ ଜିଲା କ୍ରୀଡା ସଂସ୍ଥା, କେନ୍ଦୁଝର ସହଯୋଗରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ଆଜିର ପଞ୍ଚମ ଦିବସ ଲିଗ ପର୍ଯ୍ୟାୟ ଖେଳରେ ବଡ଼ବିଲର ଗୋପବନ୍ଧୁ ହାଇସ୍କୁଲ (ମିଳିତ ) କିଡ଼ସ ପବ୍ଲିକ ସ୍କୁଲ (ମିଳିତ ) ବିପକ୍ଷରେ ୯ ଉଇକେଟରେ ଏକ ସହଜସାଧ୍ୟ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l କିଡ଼ସ ପବ୍ଲିକ ସ୍କୁଲ ଟସରେ ଜିଣି ପ୍ରଥମେ ପାଳି ଆରମ୍ଭ କରିବାକୁ ନିଷ୍ପତି ନେଇଥିଲା l ମାତ୍ର ଗତକାଲି ବର୍ଷା ଫଳରେ ପଡିଆ ଓଦା ଥିବାରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସେମାନଙ୍କ ପାଇଁ ସହଜ ନଥିଲା ଏବଂ ସେମାନେ ନିର୍ଦ୍ଧାରିତ ୩୦ ଓଭର ଠାରୁ ୫ଟି ବଲ କମ ଖେଳି ସମସ୍ତ ଉଇକେଟ ହରାଇ  ୧୩୫ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ l ଦଳ ପକ୍ଷରୁ ଗତ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ସୋହମ କୁମାର ଜେନା ୮୪ଟି ବଳର ସମ୍ମୁଖୀନ ହୋଇ ୧୫ଟି ଚୌକା ସହାୟତାରେ ସର୍ବାଧିକ ୭୯ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ l ପ୍ରତିପକ୍ଷ ଦଳର ଅଙ୍ଗଦ ଲୋଟିଆ ୬ ଓଭର ବୋଲିଂରେ ଗୋଟିଏ ମେଡନ ସହ ୩୮ ରନ ଦେଇ ୪ଟି ଉଇକେଟ ହାସଲ କରିଥିବା ବେଳେ ଶୁଭେନ୍ଦୁ ବେହେରା ୩.୧ ଓଭର ବୋଲିଂ କରି ୭ ରନ ଦେଇ ୨ଟି ଉଇକେଟ ହାସଲ କରିଥିଲେ l ଏହାର ଜବାବରେ ଗୋପବନ୍ଧୁ ହାଇସ୍କୁଲ ମ୍ୟାଚ ଜିତିବା ପାଇଁ ଓଭର ପିଛା ୪. ୫୩ହାରରେ ରନ ସଂଗ୍ରହ କରିବାର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିଲେ ଏବଂ ପ୍ରଥମରୁ ଅତି ଦ୍ରୁତ ଗତିରେ ରନ ସଂଗ୍ରହ କରି ୧୮.୧ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟର ସ୍ୱାଦ ଚାଖିଥିଲେ l ଦଳ ପକ୍ଷରୁ ଯୋଗେଶ୍ୱର ମହାନ୍ତ ୫୩ଟି ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୬୦ ରନ ସଂଗ୍ରହ କରିଥିବା ବେଳେ ଆଶୁତୋଷ ନାୟକ ୪୩ ବଲର ସମ୍ମୁଖୀନ ହୋଇ ୧୩ଟି ଚୌକା ସହାୟତାରେ ୫୯ ରନ ସଂଗ୍ରହ କରି ଅର୍ଦ୍ଧ ଶତକ ହାସଲ କରିଥିଲେ l ନିଜର ଯାଦୁକରୀ ଅଫ ସ୍ପିନ ବୋଲିଂରେ କିଡ଼ସର ରନ ଗତି ବଢ଼ାଇବାରେ ବ୍ରେକ ଲଗାଇବା ସହ ୪ଟି ଉଇକେଟ ହାସଲ କରିଥିବା ଗୋପବନ୍ଧୁ ହାଇସ୍କୁଲର ଅଙ୍ଗଦ ଲୋଟିଆ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ lଏହି ଖେଳକୁ ବିଶ୍ଵମ୍ବର ମହାକୁଢ଼, ଯଶୋବନ୍ତ ମହାପାତ୍ର ( ଳୁନା) ପରିଚାଳନା କରିଥିବା ବେଳେ ଗିରୀଶ ଚନ୍ଦ୍ର ହୋତା ମ୍ୟାଚ ରେଫରୀ ଏବଂ ରାଜେନ୍ଦ୍ର ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ