୯୪ ବର୍ଷରେ ପଦାର୍ପଣ କଲା ଗୋପୀନାଥପୁର ଗୋବିନ୍ଦ ଜୀଉ ମେଳନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପୀନାଥପୁର ଗ୍ରାମର ସର୍ବପୁରାତନ ଗୋବିନ୍ଦ ଜୀଉ ମେଳନ ଚଳିତ ବର୍ଷ ୯୪ ବର୍ଷରେ ପଦାର୍ପଣ କରିଛି । ୧୯୩୨ ମସିହାରେ ଗୋପୀନାଥପୁର ଗ୍ରାମର ମୁରବି ବ୍ୟକ୍ତିଙ୍କ ପ୍ରସ୍ତାବ କ୍ରମେ ଗୋପୀନାଥପୁର, ତାଜିପୁର, ତୁଳସୀପୁର ଗ୍ରାମର ଜନସାଧାରଣଙ୍କ ସହଯୋଗରେ ଗୋପୀନାଥପୁରରେ ଗୋବିନ୍ଦ ଜୀଉ ମେଳନ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମାନେ ଦୋଳ କମିଟି ଗଠନ କରି ପ୍ରତି ଘରୁ ସମ୍ବଳ ସଂଗ୍ରହ କରି ଏହି ମେଳଣ ଆରମ୍ଭ କରିଥିଲେ । ଏହି ମେଳନର ମୁଖ୍ୟ ଆକର୍ଷଣ ହେଲା ବାଲେଶ୍ୱର ଜିଲା ଖଇରା ବ୍ଲକ ବେଲଗଢିଆ ଗ୍ରାମରୁ ଆସୁଥିବା ଗୋବିନ୍ଦ ଜୀଉ । ଶତାଧିକ ରାଧାକୃଷ୍ଣ ବିମାନ ଓ ଗୋବିନ୍ଦ ଜୀଉ ବିମାନ ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର, ଭଜନ, କୀର୍ତ୍ତନ, ରୋଷଣୀ ସହିତ ସହସ୍ର ଭକ୍ତ ଶୋଭାଯାତ୍ରାରେ ତୁଳସୀପୁର, ତାଜିପୁର, ଗୋପୀନାଥପୁର ଆଦି ଗ୍ରାମ ପରିକ୍ରମା କରାଇ ଦୋଳ ପଡିଆର ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ମଣ୍ଡପ ଚାରମାଳ ପାଖକୁ ପାଛୋଟି ନେଇଥାନ୍ତି । ଭଦ୍ରକ ଜିଲାର ବନ୍ତ, ଭଦ୍ରକ ବ୍ଲକ, ବାଲେଶ୍ୱର ଜିଲାର ଖଇରା, କେନ୍ଦୁଝର ଜିଲାର ହାଟଡିହୀ ବ୍ଲକରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ମାନେ ଗୋବିନ୍ଦ ଜୀଉଙ୍କୁ ଦର୍ଶନ କରି ଭୋଗ ଲଗାଇବା ସହିତ ସମବେତ ଶତାଧିକ ରାଧାକୃଷ୍ଣ ବିମାନକୁ ଦର୍ଶନ କରିଥାନ୍ତି । ପ୍ରକାଶ ଥାଉକି, ଗୋବିନ୍ଦ ଜୀଉଙ୍କୁ ମାନସିକ କଲେ ତାହା ପୂରଣ ହୋଇଥାଏ । ଏଥିପାଇଁ ଏହି ମେଳନରେ ବହୁ ମାନସିକଧାରୀଙ୍କ ଭିଡ ଦେଖିବାକୁ ମିଳେ । ଏହି ମେଳନ ଉପଭୋଗ କରିବା ପାଇଁ ଆଖପାଖ ଗ୍ରାମର ବିବାହିତା ଝିଅ ମାନେ ପିଲାଛୁଆ ଧରି ବାପ ଘକକୁ ଆସିଥାନ୍ତି । ଏହି ମେଳନରେ ବିଭିନ୍ନ ସାମଗ୍ରୀ ଲୋକ ମାନେ ବର୍ଷକ ପାଇଁ କ୍ରୟ କରିଥାନ୍ତି । ବିଶେଷଭାବେ କଞ୍ଚା ହଳଦୀ, ଲୁହା ସାମଗ୍ରୀ, ଛାଞ୍ଚୁଣୀ, ପହଁରା, ଚଟେଇ ସହିତ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥାନ୍ତି । ଏଥିସହିତ ଝିଅ, ବୋହୁ, ଯୁବକ ମାନେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ମଜା ଉଠାଇଥାନ୍ତି । ଦୋଳ ପୂର୍ବ ଦିନ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ପ୍ରଶାସନର ସହଯୋଗ ତଥା ଗ୍ରାମବାସୀ ମାନଙ୍କ ଅନୁଦାନରେ ପ୍ରତିବର୍ଷ ଗ୍ରାମ ମେଳନ ତଥା ଦୋଳ କମିଟି ଶାନ୍ତି ଶୃଂଖଳାର ସହିତ ଗୋପିନାଥପୁରରେ ଗୋବିନ୍ଦ ଜୀଉ ମେଳନ ଆୟୋଜନ କରି ଆସୁଛି । ମେଳନ ପଡିଆ ପାଖରେ ଗ୍ରାମବାସୀ ମାନଙ୍କ ସହଯୋଗ ଓ ଅନୁଦାନରେ ୧୯୮୦ ମସିହା ଠାରୁ ଯଜ୍ଞ କମିଟି ମାଧ୍ୟମରେ ପ୍ରତିବର୍ଷ ୨ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ହୋଇ ଆସୁଛି । ସେହିପରି ଗ୍ରାମର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଆସୁଛି ।


