୧୪ଲକ୍ଷ ଲୁଟି ସରକାରୀ କର୍ମଚାରୀ ଫେରାର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜଣେ ସରକାରୀ କର୍ମଚାରୀ ଜଣେ ମହିଳାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ। ଏହାପରେ ତାଙ୍କ ଠାରୁ ୧୪ ଳକ୍ଷ ଟଙ୍କା ନେଲେ। ପୁଅ ବାହାଘର ସରିବା ପରେ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ହେଲେ ମହିଳାଙ୍କୁ ବିବାହ କଲେ ନାହିଁ କି ତାଙ୍କ ଟଙ୍କା ଫେରାଉ ନାହାଁନ୍ତି। ଓଲଟା ମହିଳାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଉଛନ୍ତି। ଏ ନେଇ ମହିଳା ଜଣକ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ମହିଳା ଜଣକ ସହରର ଏକ ସ୍ଥାନରେ ଏକ ଷ୍ଟେସନାରୀ ଦୋକାନ କରିଥିଲେ। ତାଙ୍କ ଦୋକାନକୁ କାକଟ ମୌଜାରେ ରହୁଥିବା ସରକାରୀ କର୍ମଚାରୀ ରଞ୍ଜନ କୁମାର ଆଚାର୍ଯ୍ୟ ଯିବା ଆସିବା କରୁଥିଲେ। ରଞ୍ଜନ ସୁଧ କାରବାର କରୁଥିଲେ। ତାଙ୍କ ଠାରୁ ମହିଳା ଜଣକ ପ୍ରଥମେ ୫୦ ହଜାର ଟଙ୍କା ସୁଧକୁ ନେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଧ ସହ ମୂଳ ଫେରାଇ ଦେଇଥିଲେ। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ରଞ୍ଜନ ମଧ୍ୟ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବନ୍ଧୁତା କ୍ରମେ ଶାରିରୀକ ସଂପର୍କରେ ପରିଣତ ହୋଇଥିଲା। ମହିଳା ଜଣକ ସହରରେ ଏକ ଜମି କିଣିବେ ବୋଲି ଚିନ୍ତା କରିଥିଲେ। ରଞ୍ଜନ ତାଙ୍କୁ ଜମି କିଣାଇ ଦେବେ ବୋଲି କହିଥିଲେ। ଏ ନେଇ ମହିଳା ଜଣକ ରଞ୍ଜନଙ୍କୁ ୧୪ ଲକ୍ଷ ଟଙ୍କା ଦେଇଥିଲେ। ରଞ୍ଜନଙ୍କ ପୁଅ ବାହାଘର ପରେ ସେ ମହିଳାଙ୍କୁ ବିବାହ କରି ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ମହିଳାଙ୍କର ରଞ୍ଜନଙ୍କ ପ୍ରତି ବିଶ୍ୱାସ ବଢିଥିଲା। ଫଳରେ ରଞ୍ଜନଙ୍କୁ ମହିଳା ଜଣକ ତାଙ୍କ ବ୍ୟାଙ୍କର ପାସବୁକ, ଚେକ ବୁକ, ଆଧାରକାଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜାତ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରଞ୍ଜନ ମହିଳାଙ୍କୁ ବିବାହ କରି ନଥିଲେ। ସେ ଏ ନେଇ ଜିଦି କରିବା ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବଳ ମୁହୂର୍ତ୍ତର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ଓ ଆବଶ୍ୟକ ପଡିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିବା ମହିଳା ଜଣକ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ମହିଳା ଜଣକ ଜୀବନ ପ୍ରତି ବିପଦ ଥିବା ପୁଲିସକୁ କହିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ରଞ୍ଜନ ବିରୋଧରେ ୨୫୦/୨୦୨୫ରେ ଭାରତରୟ ନ୍ୟାୟ ସଂହିତାର ୬୯, ୩୫୧(୩) ଓ ୨୯୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ