ଔଷଧ ଖାଇବାକୁ ନେଇ ବଚସା: .ପୁତୁରାର କାଠଫାଳିଆ ମାଡ଼ରେ ଦାଦା ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଶଗଡ଼ିଆ ଗ୍ରାମର ମୁନ୍ତାସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଔଷଧ ଖାଇବାକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା. ଆଉ ଏହି ବଚସା ବେଳେ ଉତକ୍ଷିପ୍ତ ହୋଇ ପୁତୁରା ଏକ କାଠଫାଳିଆରେ ଦାଦାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦାଦାର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ଏନେଇ ପୁତୁରା ଗାରାବନ୍ଧ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଘଟଣାରୁ ପ୍ରକାଶ ଯେ ସୋମବାର ଦିନ ଅଭିଯୁକ୍ତ ଅର୍ଜୁନ ଶବର (୩୫)ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥୁବା ଯୋଗୁଁ ସୀମାନ୍ତ ଆନ୍ଧ୍ରରେ ଥିବା ମଞ୍ଜୁଷା ସ୍ଥିତ ଡାକ୍ତରଖାନାକୁ ଦାଦା ସୋମନାଥ ଶବର ଯାଇ ଔଷଧ ନେଇ ଘରକୁ ଆସିଥିଲେ | ହେଲେ ଅର୍ଜୁନ ଔଷଧ ଖାଇ ନ ଥିଲେ | ଦାଦା ସୋମନାଥ ଶବର (୫୫) ଔଷଧ ଖାଇବାପାଇଁ ଅର୍ଜୁନଙ୍କୁ କହିଥିଲେ। ଏଥିରେ ଅର୍ଜୁନ ଅମଙ୍ଗ ହେବାରୁ ବାଧ୍ୟ କରିଥିଲେ ଦାଦା | ଶେଷରେ ଅର୍ଜୁନ ଉତ୍କ୍ଷିପ୍ତ ହୋଇ ଏକ କାଠଫାଳିଆରେ ସୋମନାଥଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଏଥିରେ ସୋମନାଥଙ୍କ ମୃତ୍ୟୁ ଘଟିଥିଲା. ପରେ ଅଭିଯୁକ୍ତ ଅର୍ଜୁନ ଗାରାବନ୍ଧ ଥାନାକୁ ଯାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ନିକଟରେ ନିଜ ଦାଦାଙ୍କୁ ମାରିଦେଇଥିବା ସ୍ବୀକାର କରିବା ସହ ଘଟଣା ସମ୍ପର୍କରେ ସମସ୍ତ କଥା କହିଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି. ଏହାପରେ ପାରଳାଖେମୁଣ୍ଡି ଏସ୍ଡିପିଓ ମାଧବାନନ୍ଦ ନାୟକଙ୍କ ନେତୃତ୍ବରେ ଗାରାବନ୍ଧ ପୁଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡ଼ିଛି I ଏ ନେଇ ଗାରାବନ୍ଧ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।