‘ଅବସରପ୍ରାପ୍ତ କର୍ମଚାରୀଙ୍କ ଅଟକାଇ ପାରିବେନି ଗ୍ରାଚୁଇଟି’ : ହାଇକୋର୍ଟ

କଟକ,(ଓ୍ବାଇଏନଏସ): ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଗ୍ରାଚୁଇଟି ବାବଦ ଦେୟକୁ ବିନା ଆଇନଗତ କ୍ଷମତାରେ କର୍ତ୍ତୃପକ୍ଷ ଅଟକାଇ ପାରିବେ ନାହିଁ, ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି । ଏଥିସହିତ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ ନଳିନୀକାନ୍ତ ଷଡଙ୍ଗୀଙ୍କୁ ଗ୍ରାଚୁଇଟି ସଂପର୍କିତ ପ୍ରାପ୍ୟ ମିଳିବା ସପକ୍ଷରେ ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି କୋର୍ଟ । ଜଣିକିଆ ବିଚାରପତିଙ୍କ ୨୦୨୪ ମସିହା ଅକ୍ଟୋବର ୯ ତାରିଖରେ ପ୍ରଦତ୍ତ ରାୟ ବି‌ରୋଧରେ ବ୍ୟାଙ୍କ ତରଫରୁ ଦାୟର ରିଟ୍ ଅପିଲକୁ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି । ନଳିନୀକାନ୍ତ ଷଡଙ୍ଗୀଙ୍କୁ ଗ୍ରାଚୁଇଟି ବାବଦ ଅର୍ଥ ୧୦ ପ୍ରତିଶତ ସୁଧ ସହିତ ପ୍ରଦାନ ପାଇଁ ଭୁବନେଶ୍ବର ଯୁଗ୍ମ ଶ୍ରମ କମିସନର ତଥା ଅପିଲ କର୍ତ୍ତୃପକ୍ଷ ୨୦୨୨, ମାର୍ଚ୍ଚ ୨୮ରେ ପ୍ରଦାନ କରିଥିବା ରାୟ ବିରୋଧରେ ବ୍ୟାଙ୍କ ତରଫରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ୟାଙ୍କ ଆବେଦନକୁ ଖାରଜ କରିବା ସହିତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗ୍ରାଚୁଇଟି ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ । ୨୦୨୪, ଅକ୍ଟୋବର ୯ ତାରିଖର ଏହି ରାୟକୁ ବ୍ୟାଙ୍କ ପକ୍ଷରୁ ପୁଣି ହାଇକୋର୍ଟରେ ଦୁଇ ଜଣିଆ ଖଣ୍ଡପୀଠରେ ଚାଲେଞ୍ଜ କରାଯାଇଥିଲା । ମାମଲା ବିବରଣୀରୁ ସ୍ପଷ୍ଟ ବ୍ୟାଙ୍କରେ କାର୍ଯ୍ୟ କରିବା ସମୟରେ ନଳିନୀକାନ୍ତ ଷଡ଼ଙ୍ଗୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାରେ ସଂପୃକ୍ତ ନେଇ ଅଭିଯୋଗ ‌ହୋଇଥିଲା । ତାଙ୍କ ବିରୋଧରେ ୨୦୧୧ ମସିହାରେ ଭିଜିଲାନ୍ସରେ ମାମଲା ରୁଜୁ କରା ଯାଇଥିଲା । ଏଥିସହ ନଳିନୀକାନ୍ତ ଷଡ଼ଙ୍ଗୀ ବ୍ୟାଙ୍କର ବରୀ ଶାଖାରେ କାର୍ଯ୍ୟ କରୁଥିବା ସମୟରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିଲା । ୨୦୧୩ ମସିହା ଫେବୃଆରୀ ମାସରେ ସେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଭିଜିଲାନ୍ସ ମାମଲା ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଗ୍ରାଚୁଇଟି ବାବଦ ଅର୍ଥ ପ୍ରଦାନ କରିନଥିବା ଅଭିଯୋଗ ହୋଇଥିଲା । ନଳିନୀକାନ୍ତ ଷଡ଼ଙ୍ଗୀ ଗ୍ରାଚୁଇଟି ବାବଦ ୬,୧୭,୫୧୩ ଟଙ୍କା ଓ ବିଳମ୍ବ ପାଇଁ ଏହା ଉପରେ ସୁଧ ଦାବି କରିଥିଲେ । ଡିଭିଜନାଲ ଶ୍ରମ କମିସନର ତଥା କଣ୍ଟ୍ରୋଲିଂ ଅଥରିଟିଙ୍କ ନିକଟରେ ଦରଖାସ୍ତ ମଧ୍ୟ ଦାଖଲ କରିଥିଲେ । ବ୍ୟାଙ୍କକୁ ଗ୍ରାଚୁଇଟି ବାବଦ ଓ ଏହା ଉପରେ ସୁଧ ଏପରି ମୋଟ ୯,୭୯,୦୫୪ ଟଙ୍କା ୩୦ ଦିନ ଭିତରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପ୍ରଦାନ ପାଇଁ କଣ୍ଟ୍ରୋଲିଂ ଅଥରିଟି ୨୦୨୦ ମସିହା ଜାନୁଆରୀ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ