ଅତ୍ୟଧିକ ଡିଜେ ସାଉଣ୍ଡ୍ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଗୁଣପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗୁଣପୁର,(ୱାଇଏନଏସ): ଆସନ୍ତା ନୂଆ ପାଞ୍ଜିରେ ହେବାକୁ ଥିବା ବିବାହ,ବ୍ରତ ଶୋଭାଯାତ୍ରା ଏବଂ ରାସ୍ତାରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାରି ବାସ୍ ସହିତ ଡିଜେ ସାଉଣ୍ଡ୍ ସିଷ୍ଟମ୍ ବ୍ୟବହାର ଉପରେ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲ୍ଳୀପ ଦୁଧାଲ କଢ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆବଶ୍ୟକତା ଏବଂ ଅନୁମତି ଠାରୁ ଅଧିକା ଶବ୍ଦ କରି ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ବ୍ୟବହାର କଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗୁଣପୁର ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଏବଂ ତହସିଲଦାର ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ନିର୍ଦେଶ ଦେଇଛନ୍ତି। ଏହାକୁ କଢାକଢି ରୂପେ ପାଳନ କରିବାକୁ ଗୁଣପୁର ଓ ବିଷମକଟକ ପୁଲିସ ଏସଡିପିଓ ମାନଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।ଗତ କିଛି ମାସ ହେଲା ବିବାହ,ବ୍ରତ, ବିଭିନ୍ନ ଶୋଭାଯାତ୍ରାରେ ଡିଜେ ଗୁଡିକ ଅତ୍ୟଧିକ ଶବ୍ଦ କରିଥିବା ନେଇ ଅନେକ ଅଭିଯୋଗ ପାଇବା ପରେ ଗୁଣପୁର ଉପଜିଲ୍ଲାପାଳ ଏହିଭଳି କଢା ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଭାରି ବାସ୍ ସଂଗୀତ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉ ଥିବା ବିଶେଷକରି ହୃଦରୋଗୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେଣୁ ଶବ୍ଦ ସିଷ୍ଟମ୍ ପାଇଁ ଅନୁମତି ପ୍ରଦାନ କରିବା ସମୟରେ, ଭାରି ବାସ୍ ବ୍ୟବହାରକୁ କଡ଼ା ନିଷେଧ କରାଯିବ। ଯଦି କୌଣସି ସାଉଣ୍ଡ ସିଷ୍ଟମ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ବ୍ୟବହାର କରାଯାଏ କିମ୍ବା ଭାରୀ ବାସ ବ୍ୟବହାର କରାଯାଏ କିମ୍ବା ୫୫ ଡିବିର ଅନୁମୋଦିତ ସୀମା ଅତିକ୍ରମ କରେ ତେବେ ତାହାକୁ ତୁରନ୍ତ ଜବତ କରାଯିବ ଏବଂ ଓଡ଼ିଶା ଆତସବାଜି ଏବଂ ଲାଉଡସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ର ନିୟମ ୫ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଏବଂ ନିୟନ୍ତ୍ରଣ) ନିୟମ, ୨୦୦୦ ଅନୁଯାୟୀ ଆୟୋଜକ ଏବଂ ଡିଜେ ଗାଡ଼ିର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଗୁଣପୁର ଉପଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଦେଖିବାର କଥା। ବହୁ ପୂର୍ବରୁ ଅଧିକା ବାସ ସାଉଣ୍ଡରେ ଡିଜେ ବ୍ୟବହାର ଉପରେ ଦେଶର ସୁପ୍ରିମକୋର୍ଟ ଓ ଅନେକ ରାଜ୍ୟର ହାଇକୋର୍ଟ ଗୁଡିକ ନିଷେଧାଦେଶ ଜାରି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ