ବିବେକାନନ୍ଦ କେନ୍ଦ୍ରରେ ଗୁରୁପୂର୍ଣ୍ଣିମା ପାଳନ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ପବିତ୍ର ଗୁରୁ ପୂର୍ଣ୍ଣିମାର ଶୁଭ ଅବସରରେ କେନ୍ଦୁଝର ସ୍ଥିତ ବିବେକାନନ୍ଦ କେନ୍ଦ୍ରର ଦାୟିତ୍ବବାନ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଣବ ଓମକାରକୁ ସଦଗୁରୁ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । କେନ୍ଦ୍ରର ବରିଷ୍ଠ ସଦସ୍ୟ ଅଧ୍ୟାପକ ସତ୍ୟନାରାୟଣ ସାହୁ କେନ୍ଦ୍ରର ଆଭିମୁଖ୍ୟ ଓ ଗୁରୁ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିବା ବେଳେ ରାଜ୍ୟପାଳ ପୁରସ୍କୃତ ପଣ୍ଡିତ ମଧୁସୂଦନ ମିଶ୍ର ଗୁରୁଙ୍କ ମହିମା ଓ ସଦଗୁରୁ ଗ୍ରହଣର ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହିତ ଅମୃତ ପରିବାର ଗଠନରେ ନାରୀମାନଙ୍କର ଭୂମିକା ଅତୁଳନୀୟ ବୋଲି ଉଦବୋଧନ ଦେଇଥିଲେ ।ମା ହିଁ ପୂର୍ଣ୍ଣ ଗୁରୁ ଓ ଗୁରୁ ହିଁ ପୂର୍ଣ୍ଣ ମା ବୋଲି ଗୁରୁ ପୂର୍ଣ୍ଣିମାକୁ ସରଳ ବ୍ୟାଖ୍ୟା କରାଯାଇଥିଲା । ପ୍ରକାଶ ଆଚାର୍ଯ୍ୟ, କ୍ରୀଷ୍ଣେନ୍ଦୁ ପଟ୍ଟନାୟକ, ପ୍ରମିଳା ଦେହୁରୀ ଓ ସୁଷମା ଭଉଣୀ ଭଜନ ପରିବେଷଣ କରିଥୂବା ବେଳେ ସୁଦିପ୍ତା ସାଗରିକା ମଞ୍ଚ ପରିଚାଳନା କରିଥିଲେ । ପ୍ରଭାକର ବେହେରା, ନୃସିଂହ ଧଳ , ଦେବାଶିଷ ରଣା, ବିଭୁତି ଦାଶ, ପୁରୁଷୋତ୍ତମ ସାହୁ, ପ୍ରବଣ ରାଉତରାୟ, ବିଜୟ ପାଟଯୋଶୀ, ଶତ୍ରୁଘ୍ନ ମହାରଣା, ରାଜା ରାଠୋର, ସନ୍ତୋଷ କୁମାର ନନ୍ଦ ପ୍ରଭୃତି ପ୍ରାୟ ଶତାଧିକ ଶ୍ରୋତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।