ହାଟଡିହି ବ୍ଳକ୍ ଶିକ୍ଷା ବିଭାଗର ବିଚିତ୍ର ନୀତି: ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ୪ଟି ସ୍କୁଲ

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶିକ୍ଷା ବିଭାଗର ବିଚିତ୍ର ନୀତି ଯୋଗୁଁ ଏବେ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ବିଶେଷକରି ଶିକ୍ଷକ ମାନଙ୍କୁ କରା ଯାଇଥିବା ଡେପୁଟେସନ ଯୋଗୁଁ ବିଦ୍ୟାଳୟ ମାନଙ୍କରେ ତାରତମ୍ୟ ରହୁନାହିଁ। କେଉଁଠି ଛାତ୍ର ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି ତ ଆଉ କେଉଁଠି ବହୁତ କମ ଶିକ୍ଷକ ଅଛନ୍ତି। ଏବେ ୪ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଥିବାରୁ ଏହି ସ୍କୁଲ ଗୁଡିକରେ ଶିକ୍ଷାଦାନ ଠପ୍ ହୋଇଯାଇଛି। ଏପରିକି ଶିକ୍ଷକ ମାନେ କୌଣସି କାମରେ ଗଲେ ସ୍କୁଲରେ ତାଲା ଝୁଲୁଛି। ଏଥିଯୋଗୁଁ ଏହି ସବୁ ବିଦ୍ୟାଳୟରେ ନୂତନ ନାମଲେଖା ହୋଇ ନଥିବା ଜଣା ଯାଇଛି। ସିଆରସିସି ମାନେ ଏକକ ଶିକ୍ଷକ ଥିବା ବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଥିଲେ ବି ସେମାନେ ସ୍କୁଲ ଯାଉ ନ ଥିବାରୁ ଶିକ୍ଷାଦାନ ଠପ୍ ହେଉଛି। ଆଡହୁରିଆ – ଯଶୋବନ୍ତପୁର ସ୍କୁଲରେ ୫ଟି ଶ୍ରେଣୀରେ ୬୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି। ସେ କିପରି ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବେ ତାହା ସହଜରେ ଅନୁମେୟ। ଏଥିପାଇଁ ଜଣେ ବି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ନଥିବା ସିଆରସିସି କହିଛନ୍ତି। ସେହିପରି ଧାନଘର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ କୁ ଜଣେ ଶିକ୍ଷକ, ଇଶଳା ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ କୁ ଜଣେ ଶିକ୍ଷକ, ସରମଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ଥିବା ଜଣା ଯାଇଛି। ସ୍କୁଲର କୌଣସି ଅଫିସ କର୍ଯ୍ୟରେ ଶିକ୍ଷକ ମାନେ ଗଲେ ସ୍କୁଲ ବନ୍ଦ ହେଉଛି।  ସେହିପରି ଗେଡମା ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଶହେରୁ ଉର୍ଦ୍ଧ୍ବ ଛୁଆ ଥିବାବେଳେ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି। ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ, ଅଫିସ କାମରେ ବ୍ୟସ୍ତ ରହୁଥିବା ବେଳେ ଜଣେ ଶିକ୍ଷକ କେବଳ ପିଲା ମାନଙ୍କୁ ଜଗି ବସିବା ସାର୍ ହେଉଛି। ସେହିପରି କଣିଆରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା୩ଜଣ ଶିକ୍ଷକ ଅଛନ୍ତି। ୮ଟି ଶ୍ରେଣୀରେ କିପରି ଶିକ୍ଷାଦାନ କରିବେ। ସେହିପରି ବଉଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫୦ ଛାତ୍ରଛାତ୍ରୀ ଙ୍କ ପାଇଁ ୩ଜଣ, କୁଶ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୩୭ପିଲାଙ୍କୁ ୪ଜଣ, ଦଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭୫ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ଯାହାଦ୍ଵାରା ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି। କିନ୍ତୁ ଓରାଳି ସ୍କୁଲରେ ୩ଟି ଶ୍ରେଣୀ ପାଇଁ ୮ଜଣ ଶିକ୍ଷକ ଶିକ୍ଷୟତ୍ରୀଥିବା ବେଳେ ମଠ ସ୍କୁଲରେ ୩ଟି ଶ୍ରେଣୀ ପାଇଁ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି। ବର୍ତ୍ତମାନ ସୁଧା ହାଟଡିହି ବ୍ଲକରେ ୧୫୦ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ନିଯୁକ୍ତି ବିଦ୍ୟାଳୟରେ ନରହି ଡେପୁଟେସନ୍ ରେ ଭିନ୍ନ ଭିନ୍ନ ବିଦ୍ୟାଳୟକୁ ଦିଆ ଯାଇଥିଲେ ବି ଛାତ୍ର ଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟି ଡିଆ ଯାଇ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି କିଛି ଶିକ୍ଷକ ନେତା କହିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ