ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଆସିକା  (ୱାଇଏନ୍‍ଏସ୍‍): ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ଅଣସଂକ୍ରମଣ ରୋଗର ନିଦାନ ଓ ଚିକିତ୍ସାକୁ ଦୃଷ୍ଟିରେ ରଖି ହାଟପଦା ଛକ ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଶନିବାର ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଅଧୀନସ୍ଥ ହାଟପଦା ସ୍ଥିତ ସହରାଂଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଆସିକା ଅଞ୍ଚଳର ପ୍ରାୟ ୭୮ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିବା ଲକ୍ଷ୍ୟ କରାଯାଇଥିଲା । ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ବରିଷ୍ଠ ନାଗରିକଙ୍କ ସକାଶେ ଅନୁଷ୍ଠିତ ହୋଇଥିବା ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମରେ ପ୍ରାୟ ୭୮ଜଣ ବ୍ୟକ୍ତିଙ୍କ ରକ୍ତଚାପ, ରକ୍ତ ସର୍କରା, ଓଜନ, ଶରୀରରେ ଅମ୍ଳଜାନର ମାତ୍ରା, ମଧୂମେହ, ଗଣ୍ଠିବାତ, କାଶ ଓ ଜ୍ୱର, ଝାଡାବାନ୍ତି, ମୁଣ୍ଡବିନ୍ଧା, ପେଟବିନ୍ଧା, ରକ୍ତହୀନତା, କୋଷ୍ଟକାଠିନ୍ୟ ସମେତ ଅନ୍ୟାନ୍ୟ ପରୀକ୍ଷା କରି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଚକ୍ଷୁ ସହାୟକ ଦିପ୍ତୀମୟୀ ଦଳେଇ, ନର୍ସିଂ କର୍ମଚାରୀ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ ଓ ଜଗନ୍ନାଥ ମିଶ୍ର, ଯୋଗଶିକ୍ଷକ ଗୁଣ୍ଡିଚା ମହାରଣା, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପରୀକ୍ଷା ନୀରିକ୍ଷା ଓ ସେବା ଯୋଗାଇବାରେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଗଣେଶ ରଥ, ବନମାଳୀ ସାମନ୍ତରା, ବି.ଦୀନବନ୍ଧୁ ପାତ୍ର, ଲକ୍ଷ୍ମଣ ବେହେରା, ଭବାନୀ ଶଙ୍କର ରଥ, ଶିବରାମ ନାହାକ, ଲମ୍ବୋଦର ଦାଶ, ବିଜୟ କୁମାର ଜେନାଙ୍କ ସମେତ ବହୁ ଉତ୍ସାହୀ ଯୁବପିଢୀ, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ