ପ୍ରବଳ ବର୍ଷା ଆଶଙ୍କା : ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧିନ ଦିଗପହଣ୍ଡି ସ୍ଥିତ ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ା ଯାଇପାରେ ବୋଲି ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୮୯ ଭାଗ ଅର୍ଥାତ୍ ୧୧୬.୭୧ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷା ପ୍ରଭାବରୁ ଆଗାମୀ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି । ତେଣୁ ଡ଼୍ୟାମ ର ସୁରକ୍ଷା ଦୃଷ୍ଟିରୁ ନଦୀ ମଧ୍ୟକୁ ପାଣି ଛଡ଼ାଯିବ। ପାଣି ରେ ଡ଼୍ୟାମ ଭିତରୁ କୁମ୍ଭୀର ମଧ୍ୟ ଚାଲି ଯାଇପାରେ ବୋଲି ଆଶଙ୍କା ରହିଛି। ତେଣୁ ନଦୀ ତଟବର୍ତ୍ତି ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀ ମାନେ ନଦୀ ମଧ୍ୟକୁ ନଯିବା ସହ ଗୃହପାଳିତ ପ୍ରାଣୀ ମାନଙ୍କୁ ନ ଛାଡ଼ିବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଏନେଇ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୨୨୦ ଅନୁଯାୟୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ନିକଟସ୍ଥ ଥାନା ଓ ଦମକଳ କେନ୍ଦ୍ର ଗୁଡ଼ିକୁ ସୂଚନା ଦିଆଯାଇଥିବା ଜଣାପଡିଛି ।