ରାଜା ଚକ୍ରଙ୍କୁ ହାଇକୋର୍ଟ ଝଟକା: ଜାମିନ ଆବେଦନ ଖାରଜ କଲେ କୋର୍ଟ
କଟକ(ଓ୍ବାଇଏନଏସ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ଘୋଟଲାର ମୁଖ୍ୟ କାର୍ପଟଦାର ରାଜା ଚକ୍ରକୁ ହାଇକୋର୍ଟଙ୍କ ଝଟକା। ରାଜାର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ରାଜା ସହିତ ତାର 3 ସହଯୋଗୀଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତା ମାମଲାରେ ଗିରଫ ହୋଇଛନ୍ତି ରାଜା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ବାଲେଶ୍ବର ଓପିଆଇଡି କୋର୍ଟରେ ଚାର୍ଜସିଟ ଦାଖଲ ମଧ୍ୟ କରିସାରିଛି। ଏହି ଘୋଟଲାର ମୁଖ୍ୟ କାର୍ପଟଦାର ରାଜା ଚକ୍ର ସହିତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୬୦ ଟି ବ୍ୟାଙ୍କ ଖାତା ଓ ୨୦ଟି ଗାଡି ଜବତ କରାଯାଇଛି। ସେପଟେ ପୂର୍ବରୁ ହେଇଥିବା ଅଭିଯୋଗ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ମୋଟ ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତା ହୋଇଥିବା କୁହାଯାଉଥିଲା । ଏହାରି ଭିତରେ ଏହି ମହାଦୁର୍ନିତିର ଖେଳତାଡ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚକୁ ଗୁରୁତ୍ବ ପୂର୍ଣ୍ଣ ସୁରାକ ମିଳିଛି । ଫଳସ୍ବରୂପ ଏବେ ଏହି ଅନିୟମିତତାର ପରିମାଣ ୫୦୦ କୋଟି ଟଙ୍କାକୁ ଟପି ଯାଇ ପାରେ ବୋଲି ଆଶଙ୍କା କରୁଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ସୁତ୍ରରୁ ମିଳିଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମୁତାବକ ଏହି ଅନିୟମିତାରେ ରାଜା ସହିତ ଅନେକ ଲୋକଙ୍କର ସିଧାସଳଖ ସମ୍ପୃକ୍ତି ଥିବା ଜଣା ପଡିଛି । ବିଶେଷ କରି ରାଜା ସହିତ କୋଟି କୋଟି ଟଙ୍କା ଅର୍ଥିକ କାରବାର କରିଥିବା ୧୨ ଜଣ ଲୋକଙ୍କ ଭୁମିକା ସନ୍ଦେହ ଜନକ ରହିଛି । ଏହି ବିଭିନ୍ନ ସମୟରେ ରାଜା ଏମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛି । କିନ୍ତୁ କାହିଁକି ଏତେ ଗୁଡାଏ ଟଙ୍କା ସେମାନଙ୍କ ଆକାଉଣ୍ଟରେ ଡିପୋଜିଟ କରାଯାଇଥିଲା ତାର ହିସାବ କାହା ପାଖରେ କାହିଁ । ଫଳରେ ସେହି ୧୨ ଜଣ ଲୋକ ଏବେ କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିଛନ୍ତି । ଏହାରି ଭିତରେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଇଡି ବା ଇନଫୋର୍ସ ମେଣ୍ଟ ଡାଇରେକ୍ଟରେଟ । କୋଟି କୋଟି ଟଙ୍କା ବେଆଇନ ଅର୍ଥ କାରବାର ହୋଇଥିବାରୁ ଇଡି କ୍ରାଇମବ୍ରାଞ୍ଚ ଠାରୁ ମାମଲାର ବିବରଣୀ ହାସଲ କରି ଏହା ମାମଲାର ଛାନବିନ ଆରମ୍ଭ କରି ଥିବା ଜଣା ପଡିଛି । ଏହା ବ୍ୟତିତ ଏହି ଘଟଣାରେ ରାଜା ଦ୍ବାରା ଗଠନ କରାଯାଇଥିବା ଆଉ ଏକ ଜାଲ କମ୍ପାନୀ ବାବଦରେ କ୍ରାଇମବ୍ରାଞ୍ଚକୁ ଗୁରୁତ୍ବପୁର୍ଣ୍ଣ ପ୍ରମାଣ ମିଳିଛି । ଦିବ୍ୟାଶିଂ ଆସୋସିଏଟ ନାମକ ଏକ ଜାଲ କମ୍ପାନୀ ଜରିଆର ଗତ ତିନି ବର୍ଷରେ ୪ ଶହ କୋଟି ଟଙ୍କାର କାରବାର ହୋଇଥିବା ଜଣା ପଡିଛି । ବଡ କଥା ହେଉଛି କି ରାଜାର ପରିବାର ସଦସ୍ୟଙ୍କ ନାଁରେ ଏହି କମ୍ପାନୀଟି ଖୋଲାଯାଇଥିବା ବେଳେ ରାଜା ଚକ୍ରର ମୂଳ କମ୍ପାନୀ ଶଙ୍କର ମିନିରାଲ୍ସ ଏବଂ ଦିବ୍ୟାଶିଂ ଆସୋସିଏଟର ଅଫିସ ଠିକଣା ଗୋଟିଏ ବୋଲି ତଦନ୍ତରୁ ଜଣା ପଡିଛି। କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର କୋଟି କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ଗିରଫ ହୋଇଥିଲେ ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ରାଜା ଚକ୍ରଙ୍କୁ ଗିରଫ କରିଥିଲା । ଫେବ୍ରୁଆରୀ ୭ ତାରିଖରେ ଅନିୟମିତତା ନେଇ ଜଣେ ଗ୍ରାମବାସୀ ରାଜା ଚକ୍ରଙ୍କ ନାଁରେ ଅଭିଯୋଗ କରିଥିଲେ । ଏନେଇ କ୍ରାଇମବ୍ରାଞ୍ଚର EOW , ଧାରା ୪୦୬/ ୪୦୯/ ୪୨୦/ ୪୬୭/ ୪୬୮/ ୪୭୧/ ୧୨୦-ବି IPC ରେ ପଞ୍ଜିକୃତ କରିଥିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କାର୍ଯ୍ୟରେ ସର୍ବାଧିକ ଅନିୟମିତତା ଏବଂ ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀଙ୍କ କଲ୍ୟାଣ ପାଇଁ ସୃଷ୍ଟି କରାଯାଇଥିବା ସମବାୟ ସଂସ୍ଥାର ପାଣ୍ଠିର ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଗୁରୁତ୍ୱର ସହ ନେଇ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା । ତଦନ୍ତ ସମୟରେ ସ୍ପଷ୍ଟ ହୋଇଥିଲା ଯେ, ଲୋଡିଂ ଏଜେନ୍ସି ୨୦୧୭-୧୮ ରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ପ୍ରାୟ ୧୮୫ କୋଟି ଟଙ୍କା ରୋଜଗାର କରିଛି।