ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ: ମାତ୍ର ଜେଲରୁ ମୁକୁଳି ପାରିବେ ନାହିଁ

କଟକ (ଓ୍ବାଇଏନଏସ): ମାଓ ନେତା ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ ପଣ୍ଡାଙ୍କୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଭଞ୍ଜନଗର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ବିଚାରାଧୀନ ଏକ ମାମଲାରେ ହାଇକୋର୍ଟ ଏହି ଜାମିନ ମଞ୍ଜୁର କରିଛନ୍ତି । ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଏହି ମାମଲାରେ ଜାମିନରେ ଛାଡ଼ିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କେତେକ ଜାମିନ ସର୍ତ୍ତ ଧାର୍ଯ୍ୟ କରିବା ସହିତ ଯଦି ଜାମିନ ସର୍ତ୍ତ ଉଲଂଘନ ହୁଏ, ତେବେ ନିମ୍ନ ଅଦାଲତ ଆବେଦନକାରୀଙ୍କ ଜାମିନ ରଦ୍ଦ କରି ପାରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାମିନରେ ଥିବା ସମୟରେ ଆବେଦନକାରୀ କୌଣସି ଅପରାଧ କରିବେ ନାହିଁ । ବିଚାର ସମୟରେ ଆବେଦନକାରୀଙ୍କୁ ପ୍ରତ୍ୟେକ ପୋଷ୍ଟିଂ ତାରିଖରେ ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ପଡ଼ିବ । ଯଦି ଆବେଦନକାରୀ ଜାମିନର ସର୍ତ୍ତାବଳୀ ଅନୁଯାୟୀ କୋର୍ଟରେ ହାଜର ହେବା ପାଇଁ ଯଥେଷ୍ଟ କାରଣ ବିନା ବିଫଳ ହୁଅନ୍ତି, ତେବେ ବିଜ୍ଞ ବିଚାରାଳୟ ଆଇନ ଅନୁଯାୟୀ ଆବେଦନକାରୀଙ୍କ ବିରୁଦ୍ଧରେ BNS, 2023ର U/S.269 ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଆବେଦନକାରୀଙ୍କୁ ପ୍ରତି ପନ୍ଦର ଦିନ ଥରେ, ବିଶେଷତଃ ପ୍ରତି ମାସର ରବିବାର ସକାଳ 10ଟାରୁ ମଧ୍ୟାହ୍ନ 12ଟା ମଧ୍ୟରେ, ହେପାଜତରୁ ମୁକ୍ତ ହେବାର ପ୍ରକୃତ ତାରିଖରୁ ତିନି (03) ମାସ ପର୍ଯ୍ୟନ୍ତ କ୍ଷେତ୍ରାଧିକାରୀ ପୋଲିସ ଷ୍ଟେସନରେ ହାଜର ହେବାକୁ ପଡିବ । ଅନ୍ୟପଟେ ଏହି ମାମଲାରେ ଜାମିନ ମିଳିଥିଲେ ମଧ୍ୟ ସବ୍ୟସାଚୀ ଏବେ ଜେଲରୁ ମୁକୁଳି ପାରିବେ ନାହିଁ । ତାଙ୍କ ବିରୋଧରେ ଏବେ ମଧ୍ୟ ପ୍ରାୟ ୩୦ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି । ଏଥି ସହିତ ୨୦୧୯, ମେ’ ୧୮ରେ ବଡବଜାର ଥାନା ମାମଲାରେ ଗଞ୍ଜାମ ପ୍ରଥମ ଅତିରିକ୍ତ ଦୌରା ଜଜ୍ ଅଦାଲତ ସବ୍ୟସାଚୀଙ୍କୁ ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ରାୟ ବିରୋଧରେ ସବ୍ୟସାଚୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏହି ମାମଲା ଏବେ କୋର୍ଟ ରେ ବିଚାରାଧୀନ ରହିଛି । ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ରାଜ୍ୟ ପୋଲିସ ୧୮ ଜୁଲାଇ ୨୦୧୪ରେ ବ୍ରହ୍ମପୁରର ଏକ ଆବାସିକ ଘରୁ ଗିରଫ କରିଥିଲା । ସେବେଠାରୁ ସବ୍ୟସାଚୀ ପଣ୍ଡା ଜେଲରେ ଅଛନ୍ତି । ଗିରଫ ସମୟରେ ତାଙ୍କ ବିରୁଦ୍ଧରେ ଅନେକ ମାଓ ସମ୍ପର୍କିତ ମାମଲା ବିଚାରାଧୀନ ଥିବାରୁ ବିଭିନ୍ନ ଜିଲ୍ଲାରେ ପୋଲିସ ତାଙ୍କୁ ଖୋଜୁଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ