ନିଯୁକ୍ତି ବଦଳରେ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ
କଟକ (ଓ୍ବାଇଏନଏସ): ଟ୍ରିବ୍ୟୁନାଲଙ୍କ ୨୦୦୨ ମସିହାର ନିର୍ଦ୍ଦେଶ ଥିଲେ ମଧ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ଦିଆ ନଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ବହୁ ବର୍ଷ ଅତିବାହିତ ହୋଇ ଯାଇଥିବା ବେଳେ ନିଯୁକ୍ତି ବଦଳରେ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ୫ ଲକ୍ଷ ଟଙ୍କା ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପ୍ରଦାନ କରିବେ। ଯଦି ନିର୍ଦ୍ଧାରିତ ସମୟ ଭିତରେ ଏହି ରାଶି ପ୍ରଦାନ କରା ନ ଯାଏ ତେବେ ବିଳମ୍ବ ପାଇଁ ଦିନକୁ ଅତିରିକ୍ତ ୫ଶହ ଟଙ୍କା ଆବେଦନକାରୀଙ୍କୁ ଦିଆଯିବ। ଏପରି ଅତିରିକ୍ତ ଅର୍ଥ ତ୍ରୁଟି କରିଥିବା ଅଧିକାରୀଙ୍କ ନିକଟରୁ ବ୍ୟକ୍ତିଗତ ଭାବେ ଆଇନ ଅନୁସାରେ ଭରଣା କରାଯିବ। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଧାଂଶୁ ନନ୍ଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଆଇନଗତ ଲଢେଇରେ ବିଜେତା ପକ୍ଷଙ୍କୁ ଖାଲି ହାତରେ ଫେରାଇ ଦିଆଯିବା ଉଚିତ ନୁହେଁ। ଯଦି ନିର୍ଦ୍ଦେଶ ଅନୁସାରେ ମୂଳ ପ୍ରତିକାର ମଞ୍ଜୁର କରାଯାଇ ପାରିବ ନାହିଁ ତେବେ କ୍ଷତିପୂରଣ ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କୁ ଡ୍ରାଇଭର ବା ଅନ୍ୟ ଗ୍ରୁପ-ଡି ପଦବିରେ ନିଯୁକ୍ତି ପ୍ରଦାନ ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ୨୦୦୨, ସେପ୍ଟେମ୍ବର ୫ରେ ରାୟ ଦେଇଥିଲେ। ଏହି ପ୍ରସଂଗରେ ସମ୍ବଲପୁୁର ଜିଲ୍ଲାପାଳ ଓ ସିଡିଏମଓ ପଦକ୍ଷେପ ନ ନେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ଟ୍ରିବ୍ୟୁନାଲରେ ରୁଜୁ କରିଥିଲେ। କେତେକ ପ୍ରତିବନ୍ଧକ ରହିଥିବାରୁ ଆବେଦନକାରୀଙ୍କୁ ଅବସ୍ଥାପିତ ନିର୍ଦ୍ଦେଶ ପ୍ରଦାନ କରାଯାଉ ନାହିଁ ବୋଲି କର୍ତ୍ତୃପକ୍ଷ ଦର୍ଶାଇଥିଲେ। ଟ୍ରିବ୍ୟୁନାଲ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଯଦି ଭବିଷ୍ୟତରେ ପଦବି ଖାଲି ହୁଏ ତେବେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଂଗ ସରକାର ବିଚାରକୁ ନେବେ ବୋଲି ଟ୍ରିବ୍ୟୁନାଲ କହିଥିଲେ। ୨୦୧୭, ନଭେମ୍ବର ୨୨ର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଟ୍ରିବ୍ୟୁନାଲଙ୍କ ୨୦୦୨ର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।


