ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ହେବ ସୌନ୍ଦର୍ଯ୍ୟକରଣ
କଟକ, (ଓ୍ବାଇଏନଏସ): ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ବିକାଶ, ସୌନ୍ଦର୍ଯ୍ୟକରଣ ପାଇଁ ବିଗତ ୧୫ ବର୍ଷ ଭିତରେ ଏକାଧିକ ଯୋଜନା ହୋଇଥିଲେ ବି ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଆପତ୍ତି କାରଣରୁ ପ୍ରକଳ୍ପ କାମ କେବଳ କାଗଜପତ୍ରରେ ଅଟକି ରହି ଯାଉଛି । କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ପରେ ପୁଣି ଥରେ ବାରବାଟୀ ଦୁର୍ଗର ରୂପ ବଦଳିବାର ସମ୍ଭାବନା ସୃଷ୍ଟି ହୋଇଛି । ଯେହେତୁ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଚାଲିଛି ସେହେତୁ ବାରବାଟୀ ଦୁର୍ଗର ବିକାଶ ପାଇଁ ଏଥର କରାଯାଉଥିବା ଯୋଜନା ବିଫଳ ହେବ ନାହିଁ ବୋଲି ଆଶା କରାଯାଉଛି । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । କେବଳ ପରିକ୍ରମା ମାର୍ଗ ନୁହେଁ, ନିର୍ମାଣ ପରେ କାମରେ ନଲାଗି ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ କରାଯିବ । ତା’ ସହିତ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ ଆଦି ବ୍ୟବସ୍ଥା ରହିବ । ଆସନ୍ତା ଦୁଇ ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯାଇ କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ବର୍ଷ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ପର୍ଯ୍ୟଟକଙ୍କୁ ବାରବାଟୀ ଦୁର୍ଗ ଅଧିକ ଆକର୍ଷିତ କରିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି । ପ୍ରାୟ ୫ କୋଟି ଟଙ୍କାରେ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ରକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏଏସ୍ଆଇକୁ ହସ୍ତାନ୍ତର କରିଛି । କିନ୍ତୁ ପ୍ରାୟ ଦେଢ଼ ବର୍ଷ ହେଲାଣି ଏଏସ୍ଆଇ ଏହାକୁ ନିଜ ହେପାଜତକୁ ନେଇଥିଲେ ମଧ୍ୟ ଏବେ ଯାଏ କାମରେ ଲଗାଇ ପାରୁନି । ଯାହାଫଳରେ ଏହି କେନ୍ଦ୍ର ଏବେ ନଷ୍ଟ ହେବାକୁ ବସିଲାଣି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ନିର୍ମିତ ଏହି କେନ୍ଦ୍ରରେ କ୍ଲୋଜ୍ ଆଇ ଲାଟେରାଇଟ୍ ପଥର ବ୍ୟବହାର କରାଯାଇଛି, ଯାହାର ଦାମ୍ ସାଧାରଣ ମାଙ୍କଡ଼ା ପଥରଠୁ ତିନିଗୁଣା ଅଧିକ । ବାରବାଟୀ ଦୁର୍ଗ ଖନନ ସମୟରେ ବାହାରିଥିବା ବିଭିନ୍ନ ଐତିହ୍ୟ ସାମଗ୍ରୀକୁ ଏଠାରେ ସ୍ଥାନ ଦିଆଯିବା ନେଇ ଯୋଜନା ହୋଇଥିଲା । ସାମଗ୍ରୀ ଗୁଡ଼ିକର ଐତିହାସିକ ମୂଲ୍ୟ ଓ ତଥ୍ୟ ଜଣାିବାକୁ ଅଡିଓ ବ୍ୟବସ୍ଥା ମଧ୍ୟ କରାଯାଇଥାନ୍ତା । କିନ୍ତୁ ଏବେ ଯାଏ ଏହି ବ୍ୟାଖ୍ୟାନ କେନ୍ଦ୍ର ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଲାଣି । କେନ୍ଦ୍ର ଉପରେ ପାଣି ଜମିବା ସହିତ ଗଛଲତା ମାଡ଼ିଗଲାଣି । ମୂଲ୍ୟବାନ୍ କାଠର କବାଟ, ଝରକା ମଧ୍ୟ ନଷ୍ଟ ହେଲାଣି । ଅନ୍ୟପକ୍ଷରେ ଦୁର୍ଗ ଚାରିପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପ ବାବଦରେ ଆଲୋଚନା ଚୂଡାନ୍ତ ହୋଇଛି । ଚାରିପଟରେ ପାଥ୍ ୱେ’ ରହିବ, ଯାହାଫଳରେ ଲୋକେ ଚାଲିଚାଲି ଦୁର୍ଗର ପରିକ୍ରମା କରିପାରିବେ । ଖୁବ୍ ଶୀଘ୍ର ଏ ବାବଦରେ ଡିପିଆର୍ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଦୁର୍ଗର ଚାରିପାଶ୍ୱର୍ରେ ଅନେକ ଜମି ଜବରଦଖଲରେ ଥିବା ବେଳେ ଉଚ୍ଛେଦ ପରେ ଏ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।


