ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା: ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କଟକ,(ଓ୍ବାଇଏନଏସ): ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମେଳା ବାଲିଯାତ୍ରାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ, ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଧାୟକ ପ୍ରକାଶ ସେଠୀ ବାଲିଯାତ୍ରା ଉଦଘାଟନୀରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟା ୫ଟାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଅତିଥିମାନେ ବୋଟ୍ କ୍ଲବରୁ ଡଙ୍ଗା ଯୋଗେ ମେଳା ପଡିଆକୁ ଆସିଥିଲେ । ‘କଟକରେ କଟକ’ ଏବଂ ଓରମାସ ଷ୍ଟଲ ଉଦଘାଟନ କରିବା ପରେ, ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ୨୦୨୫କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏପଟେ ଆଗାମୀ ୧୨ ତାରିଖ ଯାଏଁ ପ୍ରତିଦିନ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ମହାନଦୀ କୂଳରେ ଐତିହାସିକ ବାଲିଯାତ୍ରା ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ “ମହାନଦୀ ଆଳତୀ” ପରିବେଷଣ କରାଯାଇଥିଲା । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବାଲିଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ କମିଶନର ନିଜେ ପଡିଆ ବୁଲି ଏହାର ସମୀକ୍ଷା କରିଛନ୍ତି । ତେବେ ୬୦ ପ୍ଲାଟୁନରୁ ଅଧିକ ଫୋର୍ସ ନିୟୋଜିତ ହେବେ, ପ୍ରାୟ ୩୫୦ରୁ ଅଧିକ ଅଫିସର ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ । ସେହିପରି ବାଲିଯାତ୍ରା ପଡିଆ ଭିତରେ ସନ୍ଦିଗ୍ଧ କାର୍ଯ୍ୟକଳାପ, ଅପରାଧ ଓ ଅଘଟଣ ଉପରେ ନଜର ରଖିବା ପାଇଁ ପଡିଆ ମଧ୍ୟରେ ସିସିଟିଭି ଏବଂ ୱାଚ ଟାୱାର ତିଆରି କରାଯାଇଛି । ବାଲିଯାତ୍ରାର ଉଭୟ ପଡିଆ, ରିଂ ବନ୍ଧ, ଗ୍ରୀନ କରିଡରରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ସିସିଟିଭିର ବ୍ୟବସ୍ଥା କରାଯାଇଛି । ବିଶେଷକରି ଗାଡି ପାର୍କିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉକ୍ତ ପାର୍କିଂ ରେ ଗାଡି ରଖିବାକୁ କମିଶନର ନିବେଦନ କରିଛନ୍ତି । ଯେଉଁ ମାନେ ଇଆଡ଼େ ସିଆଡେ ଗାଡି ପାର୍କିଂ କରିବେ ସେମାନଙ୍କ ଗାଡିକୁ ଜବତ କରାଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି ।


