ଏସସିବି ମେଡ଼ିକାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ମୃତ ୫ ଗୁରୁତର
କଟକ, (ଓ୍ବାଇଏନଏସ): ଶ୍ରୀରାମ ଚନ୍ଦ୍ର ଭଂଜ (ଏସସିବି) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କର ଚିକିତ୍ସା ଜାରି ରହିଛି।। ଏହି ସମ୍ବେଦନଶୀଳ ଘଟଣା ଏବେ ଦେଶର ପ୍ରମୁଖ ଖବର ହୋଇଛି। ଦେଶର ଅନ୍ୟତମ ପୁରାତନ ଚିକିତ୍ସାଳୟରେ କେଉଁଭଳି ଭାବରେ ଅଗ୍ନିକାଣ୍ଡ ଘଟିଲା ସେନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ମୃତକମାନଙ୍କର ନାମ ଜାରି ହୋଇଛି। ଅଗ୍ନିକାଣ୍ଡରେ ମୃତକଙ୍କ ମାନେ ହେଲେ, (୧) ରମେଶ ଚନ୍ଦ୍ର ପରିଡ଼ା, (୨)ଦାର୍ଶୁ ମୁଣ୍ଡା, (୩) ଏମଡି ନ୍ୟୁମ୍, (୪) ଗୌରାଙ୍ଗ ଚନ୍ଦ୍ର ବାରିକ, (୫) ଶେଖ୍ ଅବଦୁଲ୍ ସତାର, (୬)ମଧୁସୂଦନ ଦଳାଇ, (୭) କୃଷ୍ଣଚନ୍ଦ୍ର ବିଶ୍ଵାଳ, (୮) ରବୀନ୍ଦ୍ର ଦାଶ, (୯) ଚେରୁ ପରିଡ଼ା, (୧୦) ମେନକା ରାଉତ। ଏହି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟ ୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର। ସୂଚନା ଅନୁସାରେ ମଧ୍ୟରାତ୍ରୀରେ ଯେତେବେଳେ ଏସ୍ସିବିର ରୋଗୀ, ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ। ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ପ୍ରଥମେ ନିୟୋଜିତ ହୋଇଥିଲେ। ବାହାରୁ ତିନୋଟି ଅଗ୍ନିଶମ ଗାଡି ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ପ୍ରବଳ କ୍ଷତି ହୋଇଥିଲା। ଆଇସିୟୁ ରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲର ନ୍ୟୁ ମେଡିସିନ୍ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡ଼ି ନାହିଁ। ପ୍ରଶାସନିକ ଅବହେଳା ନାଁ ସର୍ଟସର୍କିଟ ଅଗ୍ନିକାଣ୍ଡର କାରଣ, ତାହା ତଦନ୍ତ ପରେ ଜଣାପଡ଼ିବ। ଯଦି ମେଡିକାଲ କଲେଜର ତ୍ରୁଟି ପାଇଁ ନିରୀହ ରୋଗୀମାନଙ୍କର ଜୀବନ ଯାଇଥାଏ, ତା’ହେଲେ ସଂପୃକ୍ତ ବ୍ୟକ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅନ୍ୟପଟରେ ରାଜ୍ୟର ସର୍ବବୃହତ ମେଡିକାଲ କଲେଜରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଅଗ୍ନିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏସ୍ସିବି ମେଡିକାଲର ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିଛନ୍ତି। ସେ ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନାନ୍ତର ସମୟରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୃତକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


