ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ସମସ୍ୟା: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ
କଟକ, (ଓ୍ବାଇଏନଏସ): ୧୮୬୯ ମସିହାରେ ସ୍ଥାପିତ ହୋଇଥିଲା କଟକ ସ୍ଥିତ ମଧୁସୂଦନ ଆଇନ କଲେଜ। ଗତ ଏପ୍ରିଲ ୨୮, ୨୦୨୧ ମସିହାରେ ଏହା ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ହେଲେ ବଡ଼ କଥା ହେଉଛି, ଆଜି ଏଠାରେ ଛାତ୍ରଛାତ୍ରୀ ନାନାଦି ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ୫ ବର୍ଷ ହେବ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲାଣି। ମାତ୍ର ଏଯାବତ ଏହାର ହଷ୍ଟେଲ ନିର୍ମାଣ ହୋଇପାରି ନାହିଁ। ଏବେ ୧ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିବା ବେଳେ ସେମାନଙ୍ଛକ ପାଇଁ ଗୋଟିଏ ବି ହଷ୍ଟେଲ ନିର୍ମାଣ ହୋଇ ପାରିନାହିଁ। ପ୍ରତ୍ୟକ ବର୍ଷ ଯେଉଁ ଛାତ୍ରଛାତ୍ରୀ ଆଇନରେ ପଢିବା ପାଇଁ ଆଡମିଶନ କରୁଛନ୍ତି, ସେମାନେ ହଷ୍ଟେଲ ସମସ୍ୟାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଯେଉଁ ଛାତ୍ରଛାତ୍ରୀ ବାହାର ଜିଲ୍ଲାରୁ ଆସି ଆଡ଼ମିଶନ କରୁଛନ୍ତି, ସେମାନଙ୍କ ପାଇଁ ଏହା ବଡ଼ ସମସ୍ୟା ହେଉଛି। କାରଣ ଏଠାରେ ପାଠପଢ଼ିବା ପାଇଁ ହେଲେ ବେସରକାରୀ ହଷ୍ଟେଲ କିମ୍ବା ଘର ଭଡା ନେଇ ରହିବାକୁ ପଡିଥାଏ। ବିଶ୍ୱବିଦ୍ୟାଳୟ ପାଖରେ ଯଦି ଘରଭଡା କିମ୍ବା ପ୍ରାଇଭେଟ ହଷ୍ଟେଲ ମିଳିଗଲା ତ ଭଲ କଥା। ନଚେତ ଟିକେ ଦୂରରେ ମିଳିଲେ ଜଣେ ଛାତ୍ରୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଯାଏ। ପ୍ରଥମ କଥା ହେଲା ଘରଭଡା କିମ୍ବା ପ୍ରାଇଭେଟ ହଷ୍ଟେଲ ଖୋଜାଖୋଜି କରିବା ପାଇଁ ଜଣେ ନୂଆ ଛାତ୍ର କିମ୍ବା ଛାତ୍ରୀଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥାଏ। ସେହିପରି ଯଦି ହଷ୍ଟେଲ ମିଳିଲା ତେବେ ଜଣେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବହୁ ବ୍ୟୟ ବହୁଳ ହୋଇଥାଏ। ଏମିତିକି କିଛ କିଛି ଛାତ୍ରଛାତ୍ରୀ ଆଡ଼ମିଶନ ପରେ ଦୈନିକ ୧୫୦/ କିମ୍ବା ୨୦୦ କିଲୋମିଟର ଦୂରରୁ ଯିବା ଆସିବା କରିଥାନ୍ତି। ଫଳରେ ସମୟ ନଷ୍ଟ ହୋଇଥାଏ ବୋଲି କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟ ପୂର୍ବରୁ ଯେତେବେଳେ କଲେଜ ଥିଲା ସେତେବେଳେ ଗୋଟିଏ ଛାତ୍ରାବାସ ଥିଲା। ମାତ୍ର ବିଶ୍ୱବିଦ୍ୟାଳୟ ହେବା ପରେ ଉକ୍ତ ହଷ୍ଟେଲକୁ ରକ୍ଷଣାବେକ୍ଷଣ ନାଁରେ ଭାଙ୍ଗି ଦିଆଯାଇଛି। ତେବେ ବିଶ୍ୱବିଦ୍ୟାଳୟର ନିଜସ୍ବ ହଷ୍ଟେଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ବିଶ୍ୱବିଦ୍ୟାଳୟର କୂଳସଚିବ ନିରୂପମା ସ୍ବାଇଁ କହିଛନ୍ତି, “ଖୁବଶୀଘ୍ର ୩୦୦ ବେଡ୍ ବିଶିଷ୍ଟ ଏକ ଲେଡିଜ ହଷ୍ଟେଲ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସେହିପରି ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ବର୍ତ୍ତମାନ କୌଣସି ଯୋଜନା ନାହିଁ। ଏଥିରେ ମୁଖ୍ୟ ସମସ୍ୟା ହେଉଛି ଜମିର। ଆମେ ତହସିଲଦାରଙ୍କୁ ଜମି ବିଷୟରେ କହିଛୁ। ଜମି ମିଳବା କ୍ଷଣି ବୟେଜ ହଷ୍ଟେଲ ମଧ୍ୟ ନିର୍ମାଣ ହେବ” ବୋଲି ସେ କହିଛନ୍ତି। ତେବେ ଖୁବଶୀଘ୍ର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା କରୁଥିବା କୂଳସଚିବ କହିଛନ୍ତି।