ହୋଟେଲ ଉପରେ ଚଢାଉ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) :ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଇରିଆ ବ୍ୟାପୁଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ କେନ୍ଦ୍ରାପଡା ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ହୋଟେଲ ଗୁଡିକ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିବା ସହ ଖାଦ୍ୟପଦାର୍ଥକୁ ଯାଞ୍ଚ କରିଥିଲା। ଏଥିସହିତ ହୋଟେଲ ଗୁଡିକରେ ଥିବା ବାସୀଖାଦ୍ୟ ଗୁଡିକୁ ନଷ୍ଟ କରାଯାଇଛି। ଏହାସହ ଆବଶ୍ୟକ ସ୍ଥଳେ ଖାଦ୍ୟ ଓ ପିଇବା ପାଣିର ନମୂନାକୁ ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ସୂଚନା ମିଳିଛିି। ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୃପେନ ଶତପଥୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଏହି ଚଢାଉ କରିଥିଲା। ଏହି ସ୍ୱତନ୍ତ୍ର ଟିମ ସହରରେ ଥିବା ଡାଉନଟାଉନ ହୋଟେଲ, ଶ୍ୟାମସୁନ୍ଦରପୁରଗଡାରେ ଥିବା ଚଣ୍ଡିଆ ହୋଟେଲ ସମେତ ସହର ଓ ସହର ଆଖପାଖ ଅଞ୍ଚଳରେ ଥିବା ହୋଟେଲ ଓ ଢାବା ଗୁଡିକ ଉପରେ ଚଢାଉ କରି ବାସୀଖାଦ୍ୟ ଓ ପାନୀୟ ଜଳ ବୋତଲ ଗୁଡିକରୁ ନମୂନା ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିବା ଡା. ଶତପଥୀ କହିଛନ୍ତି। ଏଠାରେ ପରୀକ୍ଷା ରିପୋର୍ଟ ପହଞ୍ଚିବା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।