ଘର ଓ ଜନ ଗଣନା ତାଲିମ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ଘର ଓ ଜନ ଗଣନା ତାଲିମ ଶିିବିର ଅନୁଷ୍ଠିତ ହୋଇଯାଇଛି । ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଭୟ ଜନ ଗଣନାକାରୀ ଓ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ୨ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ । ତହସିଲଦାର ସାରା ହେମ୍ବ୍ରମଙ୍କ ତତ୍ତ୍ୱାବଧାନ ତଥା ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଏହି ଶିବିର ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ଜନ ଗଣନାକାରୀ ମାନେ ଘରକୁ ଘର ଯାଇ ଘର ଗଣନା କରିବା ସହିତ ୩୪ଟି ପ୍ରଶ୍ନ ପଚାରି ତଥ୍ୟ ରେକର୍ଡ କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି ୨୦୨୭ ଫେବୃଆରୀରେ କିପରି ଜନ ଗଣନା କରାଯିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା । ଏହି ଜନ ଗଣନା ବେଳେ ୪ରୁ ୫ ଜଣ ଜନଗଣନାକାରୀଙ୍କୁ ଜଣେ ସୁପରଭାଇଜର ସହଯୋଗ କରିବେ । ଏହି ଜନଗଣନା କାର୍ଯ୍ୟ ସମ୍ପାଦନ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉତ୍ସାହିତ ଥିବା ବେଳେ ଆଣ୍ଡ୍ରୋଡ୍ ମୋବାଇଲରେ ସମସ୍ତ ଡାଟା ଏଣ୍ଟ୍ରି ହେବାକୁ ଥିବାରୁ ଏହା ଅନେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଖରେ ଆଣ୍ଡ୍ରୋଡ୍ ମୋବାଇଲ ନଥିବା ବେଳେ କେତେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଖରେ ଥିବା ଆଣ୍ଡ୍ରୋଡ୍ ମୋବାଇଲରେ ଆପ୍ ଓ ଡାଟା ଏଣ୍ଟ୍ରି ସପୋର୍ଟ ନେଉ ନଥିବା ଅଭିଯୋଗ ହୋଇଛି । ପୂର୍ବ ସରକାର ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଟାବଲେଟ ଦିଆଯାଇଥିବା ବେଳେ ତାହା ଅକାମୀ ହୋଇ ପଡି ରହିଛି । ମରାମତି ହୋଇ ପାରୁନାହିଁ । ରାଜ୍ୟ ସରକାର ଜିଲା ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏମ.ବି.କେ, ସିଆରପି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେଉଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ବିଭିନ୍ନ ଶିକ୍ଷକ ସଙ୍ଗଠନ ଓ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି ।


