ଗରିବ ଲୋକଙ୍କୁ ଉପହାସ କରୁଛି ଆବାସ ଯୋଜନା: ପଲିଥିନ ତଳେ ବିତୁଛି ଜୀବନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ଗରିବ ଲୋକ ମାନଙ୍କ ମୁଣ୍ଡ ଉପରେ ଛାତ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ରହିଥିବା ଅଧିକାରୀ ମାନେ ଆବାସ ଯୋଜନା ସର୍ଭେ ସମୟରେ ଯୋଗ୍ୟ ପରିବାର କୁ ଅଗ୍ରାଧିକାର ଦେଉ ନଥିବାରୁ ଆଜିବି ଅନେକ ଗରିବ ପରିବାର ପୁରୁଣା ଘର କୁ ମରାମତି କରିବା ପାଇଁ ପାଖରେ ଅର୍ଥ ନଥିବାରୁ ଭଙ୍ଗା ଘରେ ବର୍ଷା ପାଣି ରୁ ରକ୍ଷା ପାଇବା ପାଇଁ ପଲିଥିନ ଟାଣି ରହୁଥିବା ଦେଖିବାକୁ ମିଳିଛି।ଏପଟେ କେନ୍ଦ୍ର ସରକାର ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଗୋଟାଏ ମଧ୍ୟ କଚ୍ଚା ଘର ରହିବ ନାହିଁ ବୋଲି ପ୍ରତି ସଭା ସମିତିରେ ଗରିବ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାଚିତ ପ୍ରତିନିଧି ମାନେ। କିନ୍ତୁ ନିର୍ବାଚନ ପ୍ରତିନିଧି ମାନେ ବାସ୍ତବରେ କାର୍ଯ୍ୟକାରୀ କରିବା ରେ ଅହେତୁକ ବିଳମ୍ବ କରୁଛନ୍ତି । ଝୁମ୍ପୁରା ବ୍ଲକ ଉଖୁଣ୍ଡା ଗ୍ରାମର ଗରିବ ସୁଭଦ୍ରା ବେହେରାଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟି ଯାଇଛି। ବର୍ତ୍ତମାନ ଅଧାଭଙ୍ଗା ଘରେ ସୁଭଦ୍ରା ତାଙ୍କ ସ୍ବାମୀ ରମେଶ ବେହେରା ଓ ପୁଅ ରହୁଛନ୍ତି। ଘରଟି ଅଧାଭଙ୍ଗା ଅବସ୍ଥାରେ ଦଣ୍ଡାୟମାନ ହୋଇ ରହିଛି ଅସରାଏ ବର୍ଷା ହେଲେ ଘର ଭିତରୁ ପାଣି ପଶି ଯାଉଛି ଯାହା ଫଳରେ ଘରେ ଭିତର ଓଦା ହୋଇଯାଇଛି। ଘରକୁ ମରାମତି କରିବା ପାଇଁ ପାଗରେ ଅର୍ଥ ର ଘୋର ଅଭାବ ରହିଛି । ପ୍ରତିଦିନ ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ପ୍ରତିପୋଷଣ କରୁଛନ୍ତି। ସରକାର ଯୋଗାଉ ଥିବା ଆବାସ ଯୋଜନା ରୁ ଘର ପାଇବା ଆଶା ନେଇ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସ ଦୈ|ଡି ଦୈ|ଡି ନୟାନ୍ତ ହୋଇ ପଡିଲେଣି ତଥାପି ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଚଳିତ ବର୍ଷ ଆବାସ ଗୃହ ସର୍ଭେ ସମୟରେ ତାଙ୍କ ନାମକୁ ପଞ୍ଜି କରଣ କରିଛନ୍ତି। ଦେଖିବା ଏଥର ଆବାସ ଯୋଜନା ରେ ସୁଭଦ୍ରା ସାମିଲ ହୋଇପାରୁଛନ୍ତି ନା ନାହିଁ। ଏହି ଗରିବ ପରିବାର କୁ ତୁରନ୍ତ ଆବାସ ଯୋଜନା ରୁ ଘର ଯୋଗାଇ ଦେବା ଦିଗରେ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।