ଆବାସ ଯୋଜନା ସାତ ସପନ: ପଲିଥିନ୍ ତଳେ କଣ୍ଠିଆଡିର ୬ପରିବାର

ହାଟଡିହି (ଓ୍ବାଇଏନଏସ) ସରକାର ଗରିବ ଲୋକଙ୍କ ପକ୍କା ଘରେ ରହିବାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଚଳନ କରିଛନ୍ତି ଅନେକ ଯୋଜନା। ଗତ ସରକାର ସମୟରେ ଇନ୍ଦିରା ଆବାସ, ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋର୍ଦୟ ଗୃହ ଯୋଜନା ପ୍ରଚଳନ କରି ସବୁ ଗରିବ ଶ୍ରେଣୀର ପରିବାରକୁ ଆବାସ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ କଣ୍ଠିଆଡି ଗ୍ରାମର ଅନେକ ପରିବାର ଏହି ଆବାସ ଯୋଜନା ରୁ ବଞ୍ଚିତ ହୋଇ ନାନା ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ଏହା ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ବୈତରଣୀରେ ବନ୍ୟା ଆସିଲେ ଏହି ସବୁ ପରିବାର ଗୁଡିକ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ପ୍ରଶାସନ ମଧ୍ଯ ସେମାନଙ୍କୁ ସ୍ଥାନାନ୍ତର କରି ନିଜର କାମ ସାରିଦିଏ। ଗ୍ରାମର ସୁଲୋଚନା ଦେହୁରୀ, ଦେବକୀ ଦେହୁରୀ, ବିଷ୍ଣୁ ଦେହୁରୀ, କିର୍ତ୍ତନ ଦେହୁରୀ, ବଳରାମ ଦେହୁରୀ,ରମେଶ ଦେହୁରୀଙ୍କ ଭଳି ଅନେକ ପରିବାର ଆବାସ ଯୋଜନା ରୁ ବଞ୍ଚିତ ହୋଇ ଭଙ୍ଗା ଚଲଘରେ ବାସ କରୁଛନ୍ତି। ସେମାନଙ୍କ ଅଭିଯୋଗ ଯେ ବାରମ୍ବାର ଘର ଖଣ୍ଡିଏ ପାଇବା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଯାଇଛୁ, ସମସ୍ତ କାଗଜ ପତ୍ର ଦେଇଛୁ, କିନ୍ତୁ ଘର ପାଉନୁ। ଗାଁ ରେ ଏବେ ୩/୪ଜଣ ପାଇ ଘର କରିଥିବା ବେଳେ ଏମାନେ ବିପଦ ସଙ୍କୁଳ ଅବସ୍ଥାରେ କାଳାତିପାତ କରୁଛନ୍ତି। କାହାର ଘରେ କାନ୍ଥ ନାହିଁ ଶାଢ଼ୀ ଗୁଡା ହୋଇଛି ତ ଆଉ କାହାର ଘର ଉପରେ ପଲିଥିନ ଘୋଡ଼ା ଯାଇଛି। ସାମାନ୍ୟ ବର୍ଷା ହେଲେ ନାହିଁ ନଥିବା ଅସୁବିଧା ଭୋଗୁଥିବା ସେମାନେ କହିଛନ୍ତି। ପଞ୍ଚାୟତରେ ଅନେକ ଲୋକ ଦୁଇ ତିନୋଟି ଆବାସ ଯୋଜନା ଘର ପାଇଥିବା ସେମାନେ ଲାଞ୍ଚ ଦେଇ ପାରୁ ନ ଥିବାରୁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।  ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସେମାନେ ଏପରି ଅବସ୍ଥାରେ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କ ଦୁଃଖ ଶୁଣିବେ ବୋଲି ଆଶାବାଦୀ ଥିବା କହିଛନ୍ତି। ଏ ସମ୍ପର୍କରେ ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଦିନେଶ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଲୋକଙ୍କ କାଗଜ ପତ୍ର ଠିକ ନଥିବାରୁ ଆବାସ ଯୋଜନା ଘର ପାଇ ପାରୁ ନାହାନ୍ତି। ତଥାପି ସେ ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ