ପୌର ପାଳିକାର ଅକ୍ଷମତା ପାଇଁ କେତେ ସୁରକ୍ଷିତ ଗୁଣପୁର ସହର

ଗୁଣପୁର,(ୱାଇ ଏନ ଏସ): ଅସାମାଜିକ ତଥା ଆପରାଧିକ ଗତିବିଧ‌ି ନିୟନ୍ତ୍ରଣ ପାଇଁ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମାନଙ୍କରେ ୪୬ ଲକ୍ଷ ଟଙ୍କା ବ୍ୟୟରେ ସି ସି କ୍ୟାମେରା ଗୁଡିକ ଲଗାଯାଇଥିଲା। ଗତ ୨୦୨୩ ଅଗଷ୍ଟ ୧୫ରେ ଗୁଣପୁର ପୌର ପାଳିକା ଏହାକୁ ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଉଦଘାଟନ କରିଥିଲେ।ଏହାର ନିୟନ୍ତ୍ରଣ କକ୍ଷ ଗୁଣପୁର ଥାନାରେ ରହିଥିଲା। ଆଇନଶୃଙ୍ଖଳାର ସମସ୍ତ ଦିଗପ୍ରତି ଦୃଷ୍ଟିଦେଇ ସେଠାରୁ ମନିଟରିଂ ସହ ପରିଚାଳନା କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ଗୁଣପୁର ଥାନାରେ ଥିବା ନିୟନ୍ତ୍ରଣ କକ୍ଷର ସମସ୍ତ ସିସି କ୍ୟାମେରା ଫୁଟେଜ୍ ସମ୍ପୁର୍ଣ୍ଣ ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି। ସେତେବେଳେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ସ୍ଵୟଂ ସଂପୂର୍ଣା ରାଉତ ୪୬ ଲକ୍ଷ ଟଙ୍କା ବ୍ୟୟରେ ୧୧୦ଟି ସିସି ଟିଭି କ୍ୟାମେରା ସହରରେ ଲାଗିଥିବା ନେଇ ସୂଚନା ଦେଇଥିଲେ। କେବଳ ଗୋଟିଏ ମାତ୍ର ଉଚ୍ଚ କ୍ଷମତାସମ୍ପନ୍ନ ୩୬୦ ଡିଗ୍ରି ଏଚ୍ଡି ସିସି କ୍ୟାମେରା ବାଇପାସ ଛକରେ ଲାଗିଥିଲା। ବାକି ସବୁ ଘର ମାନଙ୍କରେ ବ୍ୟବହୃତ ଛୋଟ ଛୋଟ ସିସି କ୍ୟାମେରା ଲାଗିଛି। ଆରମ୍ଭ ହେବାର ଛଅ ମାସ ମଧ୍ୟରେ ଅର୍ଦ୍ଧାଧିକ କ୍ୟାମେରା ଅଚଳ ହୋଇପଡିଥିଲା। ତେବେ ପୌର କତ୍ତୃପକ୍ଷଙ୍କ ପରିଚାଳନାଗତ ଅକ୍ଷମତା ଓ ମରାମତି ଅଭାବରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି ସିସି କେମେରା।ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ କହୁଛି ୧୧୦ ଟି କ୍ୟାମେରା ନୁହଁ ୫୭ଟି କ୍ୟାମେରା ଲାଗିଥିବା ଭଳି ସ୍କ୍ରିନରେ ଚିହ୍ନଟ ହୋଇଛି। ତାହା ମଧ୍ୟ ଦୀର୍ଘ ଦିନ ହେଲା ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଏହିଭଳି ପରିସ୍ଥିତିରେ ସହରରେ ଅପରାଧ, ଅମାନିଆ ଗାଡି ଚାଳକଙ୍କୁ କେମିତି ନିୟନ୍ତ୍ରଣ କରାଯିବ ତାହା ପୁଲିସ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ ସମୟରେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଲୋକଙ୍କୁ ସିସି କ୍ୟାମେରାରୁ ନିରୀକ୍ଷଣ କରି ପୁଲିସ ଧରିବାରେ ସଫଳ ହୋଇଥାନ୍ତି। ଆବଶ୍ୟକ ପୁଲିସ ଅଧିକାରୀ ଓ କନେଷ୍ଟବଳ ଅଭାବ ଦୂର କରିପାରୁଥିବା ସିସି କ୍ୟାମେରା ଦୀର୍ଘ ମାସ ହେଲା ଅଚଳ ହୋଇପଡିଥିବା ବେଳେ ପୌର କତ୍ତୃପକ୍ଷ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ସିସି କ୍ୟାମେରା ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି। ଟେଣ୍ଡର ହୋଇଥିଲା ନା ନାହିଁ କେଉଁ କମ୍ପାନିର କ୍ୟାମେରା ଲଗାଇବା ଓ ରକ୍ଷଣାବେକ୍ଷଣ ନିମନ୍ତେ ଠିକା ସଂସ୍ଥା ସହ କଣ ଚୁକ୍ତି ହୋଇଥିବା ନେଇ ପୌର କତ୍ତୃପକ୍ଷ ଚୁପ ରହିଛନ୍ତି। ଆଶ୍ଚର୍ଯ୍ୟ ବିଷୟ ସିସି କ୍ୟାମେରା ମରାମତି ପାଇଁ ଠିକା ସଂସ୍ଥା ମାଲିକକୁ ପୁଲିସ ଅଧିକାରୀ ମଧ୍ୟ ଡାକିଲେ ଆସୁନାହାନ୍ତି। ଏହି ସମ୍ପର୍କରେ ଗୁଣପୁର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଗଣ ମାଧ୍ୟମକୁ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି। ଏହା ତାଙ୍କ ସମୟରେ ହୋଇନଥିବା, ସୂଚନା ଅଧିକାର ଆଇନ ଜରିଆରେ ଆବେଦନ କଲେ ତଥ୍ୟ ଦିଆଯିବ ବୋଲି ଇଓ କହୁଛନ୍ତି। ଗୁଣପୁର ପୌର ପାଳିକାରେ ଆରଟିଆଇରେ ତଥ୍ୟ ବର୍ଷ ବର୍ଷ ବିତିଗଲେ ମଧ୍ୟ ଦେଉ ନାହାନ୍ତି । କେବଳ କାଳ କ୍ଷେପଣ ନୀତି ଅବଲମ୍ବନ କରିବାକୁ ନିର୍ବାହୀ ଅଧିକାରୀ ଏହିପରି ସଫେଇ ଦେଉଥିବା ଅଭିଯୋଗ ହୋଇଛି। ଠିକା ସଂସ୍ଥା ସହ କଣ ଡିଲ କାରବାର ହୋଇଛିଯେ କତ୍ତୃପକ୍ଷ ତଥ୍ୟ ଦେଉନଥିବାରୁ ସାଧାରଣରେ ବିଭିନ୍ନ ସନ୍ଦେହ ଉଙ୍କି ମାରୁଛି। ବର୍ତ୍ତମାନ ସହରର ସୁରକ୍ଷାକୁ ଗୁରୁତ୍ବ ଦେଇ ପୁଲିସ ପ୍ରଶାସନ ଉଚ୍ଚ କ୍ଷମତା ଅତ୍ୟାଧୁନିକ ସିସି କ୍ୟାମେରା ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ସହରରେ ଅପରାଧ ଓ ଅସାମାଜିକ କାର୍ଯ୍ୟ ନିୟନ୍ତ୍ରଣ ନିମନ୍ତେ ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥ ସହିତ ବିକ୍ରମପୁର ଛକ, ସୌରା ପ୍ରଧାନୀଗୁଡା ଛକ, ପୁରୁଣା ଗୁଣପୁର ଜଗନ୍ନାଥ ମନ୍ଦିର ଛକ, ତ୍ରିନାଥ ମନ୍ଦିର ଛକ, ବଡ଼ ବଜାର ଛକ, କଟିକା ସାହି ଛକ, ଦୈନିକ ବଜାର ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ହଳଦିଆ ନାଳ ଛକ, ମେଡିକାଲ୍ ଛକ, ବାଇପାସ ଛକ, କୋର୍ଟ ଓ ଉପଜିଲ୍ଲାପାଳ କାର୍ଯ୍ୟଳୟ ଛକ, ଥାନା ଛକ, ଗୁଣପୁର କଲେଜ ଛକ , ପ୍ରମୁଖ ବ୍ୟାଙ୍କ ଗୁଡିକ ଓ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୩୬୦ ଡିଗ୍ରି ଫଟୋ ଉତ୍ତୋଳନ ଓ ଗାଡି ଗୁଡିକର ନମ୍ବର ପ୍ଲେଟ ସ୍କାନ କରିପାରୁଥିବା ଦିବାରାତ୍ରକାଳୀନ ଏଚ୍‌ଡି କ୍ୟାମେରା ଲଗାଯିବାର ଆବଶ୍ୟକତା ରହିଛି। ସହରର ସିସି କ୍ୟାମେରା ଅଚଳ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ଗୁଣପୁର ପୌର ପାଳିକା ପକ୍ଷରୁ ଲାଗିଥିବା ସିସି କ୍ୟାମେରା ପ୍ରକଳ୍ପ ଉପରେ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ