ଶ୍ରାବଣର ଶେଷ ସୋମବାର ଗଡ଼ଗଡିଆ ଘାଟରେ କାଉଡ଼ିଆଙ୍କ ଭିଡ଼

କଟକ, (ଓ୍ବାଇଏନଏସ): ବୋଲବମ ହରହର ବମ । ଏହି ଧ୍ବନିରେ ପ୍ରକମ୍ପିତ ହେଉଛି କଟକର ଐତିହାସିକ ଗଡ଼ଗଡ଼ିଆ ଘାଟ । ଶ୍ରାବଣ ମାସର ଆଜି ଶେଷ ସୋମବାରରେ କାଉଡ଼ିଆମୟ ହୋଇ ଉଠିଛି ଗଡ଼ଗଡିଆ ଘାଟ । ଶିବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶେଷ ପାଳିରେ ହଜାର ହଜାର ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଅଧିକରୁ ଅଧିକ ମହିଳା ଭକ୍ତ ଦେଖିବାକୁ ମିଳିଛି । କାନ୍ଧରେ ବାହୁଙ୍ଗି ଓ ବାହୁଙ୍ଗିରେ କଳସ ଧାରଣ କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । ଖାଲି ପାଦରେ ପାଣି ଭାର ଧରି ଆଗକୁ ଆଗକୁ ମାଡି ଚାଲିଛନ୍ତି କାଉଡ଼ିଆ । ବିଶ୍ୱାସ ରହିଛି ଏହି ମାସରେ ଭକ୍ତି ମନରେ ପ୍ରଭୁଙ୍କ ନାମ ଜପି ଜପି ଦେବ ଦେବ ମହାଦେବଙ୍କ ପାଖରେ ଜଳଲାଗି ଗଲେ ମନସ୍କାମନା ପୂରଣ ହୋଇଥାଏ । ଲିଙ୍ଗରାଜ, ପରମହଂସନାଥ, ଲୋକନାଥ, ଧବଳେଶ୍ୱର ଭଳି ଶୈବପୀଠରେ ଜଳ ଲାଗି କରିବା ପାଇଁ ଗଡଗଡ଼ିଆରେ କାଉଡ଼ିଆଙ୍କ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଘାଟରେ ପହଞ୍ଚିବା ପରେ କାଉଡ଼ିଆ ମାନେ ପ୍ରଥମେ ନଦୀରେ ବୁଡ଼ ପକାଇଥାନ୍ତି । ପରେ ନଦୀରୁ ମାଟି ଆଣି ନଦୀ ତୁଠରେ ଶିବ ଲିଙ୍ଗ ନିର୍ମାଣ କରି ପୂଜାର୍ଚ୍ଚନା କରିଥାଆନ୍ତି । ଏହାପରେ ନଦୀ ଭିତରକୁ କଳସୀ ନେଇ ୭ ଥର ବୁଡ଼ ପକାଇ ପଛକୁ ୬ ଥର ପାଣି ଢାଳି ନଦୀରୁ ପାଣି ଆଣି ଥାଆନ୍ତି । ତେବେ ବିଭିନ୍ନ ଶୈବପୀଠକୁ ଯିବା ପୂର୍ବରୁ ପ୍ରସ୍ତୁତ କରିଥିବା ଲିଙ୍ଗ ଚାରିପଟେ ୭ ଥର ପରିକ୍ରମା କରିଥାଆନ୍ତି କାଉଡ଼ିଆ । ପରେ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ଲାଗି କରିବା ସହିତ ଭାର ନେଇ ଶ୍ରାବଣ ସୋମବାର ଦିନ ଅବସରରେ ଶିବମନ୍ଦିରରେ ଜଳଲାଗି କରିବାର ପରମ୍ପରା ରହିଆସିଛି । ଏବଂ ଏଥିପାଇଁ ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବଭକ୍ତମାନଙ୍କର ସୁଅ ଛୁଟିଥାଏ । ଯେଉଁ କାଉଡ଼ିଆ ଜଳଲାଗି କରି ପାରି ନାହାନ୍ତି, ସେମାନେ ଆଜି ଶେଷ ସୋମବାରରେ ସାମିଲ ହୋଇଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଗଡ଼ଗଡିଆ ଘାଟରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥିଲା । ମାନସିକ ରଖି ଏହି ଯାତ୍ରାରେ ସାମିଲ ହୋଇଛନ୍ତି ମହିଳାମାନେ । ଦୂର ସ୍ଥାନକୁ ଗଲେ ମଧ୍ୟ ଭଗବାନଙ୍କ ନାଁ ଜପି ଜପି ଗଲେ କୌଣସି ପ୍ରଭାବ ପଡି ନଥାଏ ବୋଲି ଭକ୍ତ ମାନେ କହିଛନ୍ତି । ସେହିପରି ମହାନଦୀ ପାଣିରେ ସ୍ରୋତ ଅଧିକ ଥିବାରୁ କୌଣସି ଅଘଟଣ ଯେପରି ନ ଘଟେ ସେଥିପାଇଁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ କଡା ନଜର ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ