ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ମାମଲା: ଦେଢ ମାସ ବିତିଲା ପରେ ଜିଲ୍ଲାସ୍ତରୀୟ କମିଟି ପକ୍ଷରୁ ହେଲା ତଦନ୍ତ
ହାଟଡିହି (ଓ୍ବାଇଏନଏସ) :କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ବ୍ରାହ୍ମଣୀକଳା ଠାକୁରାଣୀ ବିଦ୍ୟାପୀଠରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ଏ-୧ ରେ କୃତକାର୍ଯ୍ୟ କରାଇଦେବି ବୋଲି କହି ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗର ଦେଢ଼ ମାସ ପରେ ଆଜି ଶିକ୍ଷା ବିଭାଗର ଏକ କମିଟି ଉକ୍ତ ସ୍କୁଲକୁ ଯାଇ ଏହାର ତଦନ୍ତ କରିଛି। ଛାତ୍ରୀ ଜଣକ ବାହାର ଜିଲ୍ଳାର ହୋଇଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ ହୋଇଥିବା ବେଳେ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳା ଶିକ୍ଷା ଅଧିକାରୀ ଆଜି ଏକ କମିଟି ପଠାଇ ଅଭିଯୋଗର ତଦନ୍ତ କରିଥିବା ଜଣା ଯାଇଛି। ଆଜି ଜିଲ୍ଲା ସହ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସୋସୋ କାନପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ଦାସ ପ୍ରମୁଖ ଉକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ତଦନ୍ତ ସମୟରେ ପୀଡିତା ଛାତ୍ରୀ ଜଣକ ଘଟଣା ପରଠାରୁ ସ୍କୁଲ ଆସିନଥିବା କମିଟି ଜାଣିବାକୁ ପାଇଥିଲା। ସ୍କୁଲ ଖୋଲିବା ଦିନ ଠାରୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସ୍କୁଲ ଆସିନଥାଇ ଛୁଟିରେ ଥିବା ଜଣା ପଡ଼ିଛି। ଛାତ୍ରୀ ଜଣକ ଲଜ୍ଜା ବୋଧ କରି ସ୍କୁଲ ଆସୁନଥିବା ବେଳେ ବିଦ୍ୟାଳୟର ଭରପ୍ରପ୍ତ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷକ କେହିବି ଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଚେଷ୍ଟା କରାଇ ନଥିବା ଜଣା ପଡ଼ିଛି। ଆଜି ଏହି ତଦନ୍ତ କମିଟି ସ୍କୁଲରେ ପହଞ୍ଚି ଛାତ୍ରୀଙ୍କୁ ଡକାଇ ଘଟଣା ସମ୍ପର୍କ ରେ ପଚରା ଉଚରା କରିଥିବା ଜଣା ଯାଇଛି। ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦେବେ ବୋଲି କହିଛନ୍ତି। କିନ୍ତୁ ଏପରି ଏକ ସମ୍ବେନଶୀଳ ଘଟଣାରେ ପୋଲିସ୍ ଦେଢ ମାସ ଭିତରେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବା, ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ ନକରିବା ଘଟଣା ଛାତ୍ରୀଙ୍କ ନ୍ୟାୟ ପାଇବା ଆଶାକୁ ମଉଳାଇ ଦେଇଛି। ଦେଢ ମାସ ପରେ ତଦନ୍ତ ହେଉଛି, କାର୍ଯ୍ୟାନୁଷ୍ଠାନ କୁ କେତେ ମାସ ଲାଗିବ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ ଆଜି ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଟୁଇଟର ଗାର୍ଲ୍ ଶ୍ରୀଲେଖା ଜେନା ମୂଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ପୁଲିସ ଡିଜିଙ୍କୁ ଟୁଇଟ କରି ଅବଗତ କରାଇଛନ୍ତି। ସାମାଜିକ ଗଣ ମାଧ୍ୟମରେ ଅନେକ ଲୋକ ବାଲେଶ୍ଵର ଏଫ୍ ଏମ କଲେଜ ଘଟଣା ଭଳି ଆତ୍ମହତ୍ୟା ଉଦ୍ୟମ କଲେ ଯାଇ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ତଦନ୍ତ ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ନନ୍ଦିପଦା ଥାନା ବ୍ରାହ୍ମଣୀକଳା ସ୍ଥିତ ତାରିଣୀ ଠାକୁରାଣୀ ବିଦ୍ୟାଳୟ ପରିସରରେ ଗତ ମେ ମାସ ୨୪ତାରିଖରେ କୋଚିଂ ପାଇଁ ବିଦ୍ୟାଳୟକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥୀ କବି ଛାତ୍ରୀ ଜଣକୁ ପାଣି ଦେବା ବାହାନାରେ ଅଫିସ୍ ରୁମ୍ କୁ ଡାକି ମୋ କଥା ଯଦି ମାନିବୁ ତେବେ ତୋତେ ଏ -୧ ରେ ପାସ କରାଇ ଦେବି ବୋଲି କହି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସି ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ସ୍କୁଲ ବଦନାମ ହେବା ଭୟରେ ଗ୍ରାମବାସୀ ମାନେ ପ୍ରଥମେ ଗାଁରେ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥଲା। କିନ୍ତୁ କିଛି ସୁଫଳ ନମିଳିବାରୁ ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ ଥାନା କେସ ନଂ ୧୪୬/୨୦୨୫ରେ ମାମଲା ରୁଜ୍ଜୁ କରିଥିଲା । ମାମଲା ରୁଜ୍ଜୁ କରି ଚୁପ ହୋଇ ବସିଗଲା ପୋଲିସ୍। କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲାନି। ଯାହାକୁ ନେଇ ପୁଲିସର କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।