କଟକରୁ ବିପୁଳ ପରିମାଣର ହେରୋଇନ୍ ଜବତ: ଦୁଇ ଗିରଫ
କଟକ,(ଓ୍ବାଇଏନଏସ): କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ (EI & EB, Unit-II, Cuttack) ଦ୍ୱାରା ଆଜି ଏକ ବଡ଼ ଧରଣର ମାଦକ ଦ୍ରବ୍ୟ କାରବାରର ପର୍ଦ୍ଦାଫାଶ କରାଯାଇଛି।ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରାଯାଇ ୧୦୪ ଗ୍ରାମ ହେରୋଇନ୍ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଜଗତପୁର ବ୍ୟାରେଜ୍ ଛକ ନିକଟରେ ଚଢ଼ାଉ କରିଥିଲେ। ସେଠାରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ୍ ଓ ଏକ ହୋଣ୍ଡା ଏକ୍ଟିଭା (Honda Activa) ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦନ ଦାସ (୨୨) ଗ୍ରାମ- ବିନ୍ଧାଣିମା, ଥାନା- ତିଗିରିଆ, ବିକାଶ ମଲ୍ଲିକ (୨୩): ଗ୍ରାମ- ମହିଷାଲଣ୍ଡା, ଥାନା- ଚୌଦ୍ୱାର ଅଞ୍ଚଳର ଅଟନ୍ତି। ଜବତ ହୋଇଥିବା ୧୦୪ ଗ୍ରାମ ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦.୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ (SI) ବିଭୂତି ଭୂଷଣ ପ୍ରଧାନ, ଏଏସଆଇ (ASI) କିଶୋର ଚନ୍ଦ୍ର ରାଉତ ଏବଂ କନେଷ୍ଟବଳ ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରକାଶ କୁମାର ଶତପଥୀ ଓ ଅଶ୍ୱିନୀ କୁମାର ପରିଡ଼ା ସାମିଲ ଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆକ୍ଟ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


