ବୁଗୁଡା ଦେଇ ସରକାରୀ ବସ ଚାଲିବାକୁ ମାନବାଧିକାର କମିଶନଙ୍କ ପକ୍ଷରୁ କେସ
ବୁଗୁଡା, (ଅନୀଲ କୁମାର ମହାରଣା) : ଓଏସଆରଟିସି ସରକାରୀ ବସ ଓଡ଼ି ୧୯ଜେ ୪୦୮୧ ଭଞ୍ଜନଗରରୁ ବାହାରି ବୁଗୁଡା , ଭୁବନେଶ୍ୱର, କଟକ, ଘଟଗାଁ ଦେଇ କେନ୍ଦୁଝର ଯାଉଥିଲା। ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ବୁଗୁଡ଼ାରେ ପହଞ୍ଚିବା ଯୋଗୁ ଜନସାଧାରଣ ଭୁବନେଶ୍ୱର, ଘଟଗାଁ ପ୍ରଭୃତି ଜାଗାକୁ ଯାଇପାରୁଥିଲେ। ମାତ୍ର ସେହି ବସକୁ ଭାୟା ବୁଗୁଡା ଯିବା ବନ୍ଦ କରି ଭାୟା ଜଗନ୍ନାଥ ପ୍ରସାଦ ଦେଇ ଯିବାକୁ ପରିବର୍ତ୍ତନ କରିବା ଯୋଗୁ ଅପରାହ୍ନରେ ଭୁବନେଶ୍ୱର ଯିବାକୁ ବୁଗୁଡ଼ାରୁ ଆଉ କୌଣସି ବସର ସୁବିଧା ନାହିଁ। ଜନସାଧାରଣଙ୍କ ସୁବିଧା ପାଇଁ ଏହି ବସକୁ ଭାୟା ବୁଗୁଡା ଦେଇ ପୂର୍ବପରି ଚଳାଚଳ କରିବାକୁ ଦାବି କରି ଗତ ଅକ୍ଟୋବର ମାସ ୩ ତାରିଖରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ସେହି ପ୍ରକାଶିତ ଖବରକୁ ଆଧାରକରି ବୁଗୁଡାର ସାମାଜିକ କର୍ମୀ ଆଡଭୋକେଟ ରଞ୍ଜିତ କୁମାର ପାତ୍ର ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ମାନବାଧିକାର କମିଶନ ଅଧ୍ୟକ୍ଷ ନ୍ୟାୟାଧୀଶ ଏସ. ପୂଜାହାରି ଏହି ଅଭିଯୋଗକୁ ୧୮/୧୧/୨୫ ତାରିଖରେ ଗ୍ରହଣ କରି କେସ ନଂ ୪୨୭୦/୨୦୨୫ ପ୍ରକାରେ କମିଶନର, ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟ ଏବଂ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ଆସନ୍ତା ୦୫/୦୨/୨୦୨୬ ତାରିଖରେ ରିପୋର୍ଟ ଦେବାକୁ ପ୍ରକାଶ କରିଛନ୍ତି। ଆଡଭୋକେଟ ଶ୍ରୀ ପାତ୍ରଙ୍କ ଏହି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି।


