ବାଲେଶ୍ବରରେ ନିର୍ମିତ ହେବ ଇଡକୋ ଏମଏସଏମଇ ଫ୍ଲାଟେଡ ଫ୍ୟାକ୍ଟରୀ କମ୍ଲେକ୍ସ ଟାୱାର

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ଵରରେ ଇଡକୋ ଟାୱାରର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଇଡକୋ ଟାୱାରର ନିର୍ମାଣ ନେଇ ସରକାରଙ୍କ  ନିକଟରେ ଥିବା ପ୍ରସ୍ତାବର ସାମ୍ପ୍ରତିକ ସ୍ଥିତାବସ୍ଥା ସମ୍ପର୍କରେ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ କାର୍ଯ୍ୟକଳାପ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏମଏସଏମଇ ଟାୱାର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହି କ୍ରମରେ ବାଲେଶ୍ଵର ସହରର ଅଙ୍ଗାରଗଡିଆ ଶିଳ୍ପାଞ୍ଚଳରେ ୬.୧୦୧ ଏକର ଜମିରେ ଏମଏସଏମଇ ଶିଳ୍ପମାନଙ୍କୁ ବ୍ୟବହାରିକ ସ୍ଥାନ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏମଏସଏମଇ ବିଭାଗ ସହାୟତାରେ ଇଡକୋ ଦ୍ବାରା ଏମଏସଏମଇ ଫ୍ଲାଟେଡ ଫ୍ୟାକ୍ଟରୀ କମ୍ଲେକ୍ସ ଟାୱାର ନିର୍ମାଣ ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ଟାୱାର ନିମନ୍ତେ ଏମଏସଏମଇ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ବାଲେଶ୍ଵର ଜିଲ୍ଲାରେ ଇଡକୋ ଏମଏସଏମଇ ଫ୍ଲାଟେଡ ଫ୍ୟାକ୍ଟରୀ କମ୍ଲେକ୍ସ ଟାୱାର ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ବାଲେଶ୍ଵର ଜିଲ୍ଲାର ଅର୍ଥନୈତିକ ଅଗ୍ରଗତିରେ ଏହି ପ୍ରକଳ୍ପ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ନୂତନ ରୋଜଗାର ସୃଷ୍ଟିରେ ସହାୟକ ମଧ୍ୟ ହେବ ବୋଲି ଶ୍ରୀ ଦତ୍ତ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ