ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ଦେଉ ନାହାନ୍ତି ପିଇଓ: କାର୍ଯ୍ୟାନୁଷ୍ଠାନ ଶୁନ

ହାଟଡିହି  (ଓ୍ବାଇଏନଏସ): ସରକାରଙ୍କ ତରଫରୁ ହିତାଧୀକାରୀ ମାନଙ୍କୁ ଯୋଗାଇ ଦିଆ ଯାଉଥିବା ଭତ୍ତା ଟଙ୍କାକୁ ନେଇ ଜଣେ ପିଇଓ ଫେରାଇବାକୁ ଇଚ୍ଛା କରୁନାହାନ୍ତି। ଘଟଣାକୁ ତିନି ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାରୁ ଜଣାପଡିଛି କି  ସମସ୍ତ ପଞ୍ଚାୟତକୁ ଭତ୍ତା ବାବଦ ଟଙ୍କା ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଇ ଥାଏ। ପଞ୍ଚାୟତର ପିଇଓ ଏଵଂ ସରପଞ୍ଚ ଙ୍କ ମିଳିତ ଜମାଖାତାକୁ ଏହି ଟଙ୍କା ଗଲାପରେ ସେମାନେ ଉଠାଇ ତାହାକୁ ହିତାଧିକାରୀଙ୍କୁ ବଣ୍ଟନ କରିଥାନ୍ତି। ହାଟଡିହି ବ୍ଲକ ସୁଲଣ ପଞ୍ଚାୟତକୁ ୨୦୨୨ମସିହାରେ ବ୍ଲକ ପକ୍ଷରୁ ଭତ୍ତା ଟଙ୍କା ଯୋଗାଇ ଦିଆ ଯାଇଥିଲା। କିନ୍ତୁ ଭୁଲ କ୍ରମେ ସେହି ପଞ୍ଚାୟତର ପ୍ରାପ୍ୟ ଟଙ୍କା ଠାରୁ ଅଧିକ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପଠା ଯାଇଥିଲା। ତତ୍କାଳୀନ ପିଇଓ ସରପଞ୍ଚ ପାଖରୁ ଭତ୍ତା ଉଠାଯିବ ବୋଲି କହି ଚେକ୍ ରେ ଦସ୍ତଖତ କରିଆଣି ସମସ୍ତ ଟଙ୍କା ଉଠାଇ ନେଇଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ଏହା ଜାଣିବା ପରେ ସେ ସଂପୃକ୍ତ ପିଇଓ ଙ୍କୁ କହିବାରୁ ମୁ ବ୍ଲକ ଏକାଉଣ୍ଟରେ ଜମା କରିଦେବି ବୋଲି କହିଥିଲେ। ମାତ୍ର କରି ନଥିଲେ। ସରପଞ୍ଚ ଏ ସମ୍ପର୍କରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପିଇ ଓ ଜଣକ ଆସନ୍ତା ମାସ ଦାଖଲ କରିଦେବେ ବୋଲି କହି ଆଉ ଧର ଛୁଆଁ ଦେଇ ନଥିଲେ। ଇତି ମଧ୍ୟରେ ଦୁଇ ଦୁଇ ଜଣ ବିଡ଼ିଓ ବଦଳି ହୋଇ ଯିବାପରେ ମଧ୍ଯ ଉକ୍ତ ପିଇଓ ଜଣକ ସେ ଟଙ୍କା ଫେରାଇଲେ ନାହିଁ। ତାଙ୍କ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ କୌଣସି ଆଇନିଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏପରିକି ସମ୍ପୃକ୍ତ ପିଇଓ ଜଣକ ହାଟଡିହି ବ୍ଲକରେ କାର୍ଯ୍ୟରତ ଥିଲେ ବି ତାଙ୍କୁ କୌଣସି ପଞ୍ଚାୟତ ଦାୟିତ୍ଵ ଦିଆ ଯାଇନି। ସେ ଆଉ ବ୍ଲକକୁ ମଧ୍ଯ ଆସୁ ନାହାନ୍ତି। ଏ ସମ୍ପର୍କରେ ସରପଞ୍ଚ ମନିଷା ରାଣୀ ସା କହିଛନ୍ତି ଯେ ମୁଁ ଏନେଇ ଦୁଇ ଦୁଇ ଜଣ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇବା ପରେ  ସଂପୃକ୍ତ ପିଇଓଙ୍କ ଦରମା ବନ୍ଦ କରାଯାଇ ଥିଲା। ଏ ସମ୍ପର୍କରେ ଭତ୍ତା ବିଭାଗର ଅଧିକାରୀଙ୍କ କହିବା କଥା ଯେ ସେହି ପିଇଓ ଜଣକ ଆଉ ବ୍ଲକକୁ ଆସୁ ନାହାନ୍ତି। ତେଣୁ ଯାହା ପଦକ୍ଷେପ ନେବେ ବିଡ଼ିଓ ନେବେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଜଣେ ପିଇଓ ବର୍ଷ ବର୍ଷ ଧରି ବ୍ଲକ କୁ ଆସୁନଥିବା ଜଣେ ପିଇଓଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩୧ଟି ଯାକ ପଞ୍ଚାୟତ ପାଇଁ ଆବଶ୍ୟକ ସଂଖ୍ୟକ ପିଇଓ ନଥିବା ବେଳେ ଜଣେ ପିଇ ଓ ବିନା ଛୁଟିରେ କାର୍ଯ୍ୟାଳୟକୁ ନ ଆସିବା କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଙ୍କୁ ପଚାରିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ