ସରକାରୀ ନିର୍ଦ୍ଦେଶକୁ ବେଖାତିର: ଗୋଚର ଜମିରେ ପ୍ରାସାଦ ନିର୍ମାଣ
ହାଟଡ଼ିହି, (ଓ୍ବାଇଏନଏସ): ହାଟଡିହି ବ୍ଳକ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରେ ଗୋଚର ଜମିରେ ପ୍ରାସାଦ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ୨୦୨୩ ମସିହାରେ ତତ୍କାଳୀନ ଡଅଁର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଜବରଦଖଲକାରୀଙ୍କ ବିରୁଦ୍ଧରେ କେସ୍ ନଂ ୪୨/୨୦୨୩ ଅନୁଯାୟୀ ଏକ ଜବରଦଖଲ ମାମଲା ପଞ୍ଜିକୃତ କରିବା ସହିତ ଜୋରିମାନା ଧାର୍ଯ୍ୟ କରିଥିଲେ। ଏପରିକି ଘର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ ବି ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ଜଣକ ଘର କାମ ସମ୍ପୂର୍ଣ୍ଣ କରି ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଯାହାଦ୍ୱାରା ଗ୍ରାମରେ ଗୋରୁ ଗାଈ ଚରିବାକୁ ସ୍ଥାନର ଘୋର ଅଭାବ ଦେଖା ଦେଇଛି। ଏନେଇ ଗ୍ରାମର ରଞ୍ଜନ ବାରିକ ନାମକ ଜଣେ ବ୍ୟକ୍ତି ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ରାଜସ୍ବ କମିଶନର, ରାଜସ୍ବମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କରିଥିବା ଅଭିଯୋଗ ଅନୁଯାୟୀ, ଗୋଚର ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବାକୁ ନିୟମ ନଥିବା ବେଳେ ସୋଲପଟା ମୌଜାରେ ସୁଶାନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ଗୋଚର ଜମିରେ ଏକ ବିରାଟ ପକ୍କାଘର ନିର୍ମାଣ ହେଉଛି । ତଅଁର ରାଜସ୍ୱ ସର୍କଲ ଅଧୀନସ୍ଥ ସୋଲପଟା ମୌଜାର ଖାତାନଂ-୧୩୪ ପୁଟ-ନଂ ୬୨୪ କିସମ ଗୋଚର ଥିବା ବେଳେ ତାହା ଉପରେ ଗ୍ରାମର ଜଣେ ବ୍ୟକ୍ତି ଏକ ପ୍ରାସାଦ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଗ୍ରାମର ଗୋଚର ଜମି ସଙ୍କୁଚିତ ହେବାସହ ଗୋରୁମାନେ ଚଗିବାରେ ଅସୁବିଧା ହେଉଛି। ଗ୍ରାମବାସୀଙ୍କ ଦାବି ପରେ ତହସିଲ ପକ୍ଷରୁ ୧୯.୧୨.୨୦୨୩ ତାରିଖରେ ଏକ ନୋଟିସ କରାଯାଇ ଜବରଦଖଲକାରୀଙ୍କୁ ୩୦ ଦିନ ମଧ୍ୟରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ଉକ୍ତ ନୋଟିସ୍ ଜାରି ହେବା ସତ୍ତ୍ୱେ, ଜବରଦଖଲକାରୀ ଜମି ଖାଲି କରିନାହାଁନ୍ତି, ବରଂ ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏବଂ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କୌଣସି ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଜବର ଦଖଲକାରି ଜଣକ ଭୂମିହୀନ ହୋଇ ନଥିବା ବେଳେ ତାଙ୍କର ପର୍ଯ୍ୟାପ୍ତ ଜମି ସୋଲପଟା ମୌଜାରେ ଅଛି। ଏଣୁ ତୁରନ୍ତ ଏହି କୋଠାଘରକୁ ଉଛେଦ କରିବାକୁ ରଞ୍ଜନ ବାରିକ ଦାବି କରିଛନ୍ତି। ଏ ସମ୍ପର୍କରେ ହାଟଡିହି ତହସିଲଦାର ଶିବ ବ୍ରତ ତ୍ରିପାଠୀ ଙ୍କୁ ପଚାରିବାରେ ସେ ରାଜସ୍ବ ନିରୀକ୍ଷକଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି, ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


