ପାରଳା ସହରରେ ବେଆଇନ ବାଣ କାରବାର: ବଡ଼ ଧରଣର ବିପଦକୁ ଆମନ୍ତ୍ରଣ, ପ୍ରଶାସନ ନିଷ୍କ୍ରିୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ବେଧଡକ ବେଆଇନ ବାଣ କାରବାର।  ପାରଳାଖେମୁଣ୍ଡି ସହରରେ ଦଶରୁ ଅଧିକ ଦୋକାନରେ ବର୍ଷ  ତମାମ ବାଣ ବିକ୍ରି କରାଯାଉଛି। ଏହାଦ୍ୱାରା ସବୁଦିନିଆ ଦୀପାବଳିର ପର୍ବ ପାଳନ ହେଉଥିବା ଭଳି ଭ୍ରମ ସୃଷ୍ଟି ହେଉଛି। ଏଭଳି ବେଆଇନ ମଦ କାରବାରକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରାଯିବା ସହ ନିତିଦିନିଆ ବାଣ ବିକ୍ରି ଦ୍ୱାରା ଆଗାମୀ ଦିନରେ କୌଣସି ଏକ ବଡ଼ ଧରଣର ବିପଦ ଘଟିପାରେ। ପ୍ରଶାସନ ଏଭଳି ବାଣ ବିକ୍ରି ନେଇ ବିହିତ ପଦକ୍ଷେପ ଗ୍ରହଣ  କରନ୍ତୁ ବୋଲି ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏଠାରେ ସୂଚନାଯୋଗ୍ୟ ନିତିଦିନିଆ ଲକ୍ଷ ଲକ୍ଷ ଟଙ୍କାର ବାଣ କାରବାରରେ ବାଣ ବ୍ୟବସାୟୀମାନେ ମାଲାମାଲ ହେଉଥିବା ବେଳେ ସରକାରଙ୍କ ଟିକସ ଜନିତ ରାଜସ୍ୱକୁ ମଧ୍ୟ ବ୍ୟବସାୟୀମାନେ ଲୁଟୁଛନ୍ତି। ସେପଟେ ବାଣବିକ୍ରି କରିବା ପାଇଁ ଅନୁମତି ଦେଇଥିବା ପ୍ରଶାସନ ସବୁ କିଛି ଜାଣି ଶୁଣି ନିରବଦ୍ରଷ୍ଟା ସାଜିଛି । ବାଣ ଦୋକାନ ଗୁଡିକୁ ଲାଇସେନ୍ସ ପ୍ରଦାନ କରିଛି ପ୍ରଶାସନ । ଆଉ  ଲାଇସେନ୍ସ ଅବଧି ମଧ୍ୟ ନିର୍ଦ୍ଧାରିତ କରିଛି । ହେଲେ କୌଣସି ନିୟମକୁ ଖାତିର କରୁନାହାନ୍ତି ବ୍ୟବସାୟୀ । ଏ ସମ୍ପର୍କରେ ଜାଣି ମଧ୍ୟ ଅଜଣା ସାଜିଛି ପ୍ରଶାସନ ଓ  ପୋଲିସ । ଦୀପାବଳି ସମୟରେ ଅସ୍ଥାୟୀ ଭାବରେ ବ୍ୟବସାୟ କରିବା ପାଇଁ କିଛି ବାଣ ବ୍ୟବସାୟୀଙ୍କୁ ମାତ୍ର ଏକ ମାସ ପାଇଁ ଅନୁମତି ଦେଉଛି ପ୍ରଶାସନ । ଆଉ ଗୋଟିଏ ମାସ ପାଇଁ ବାଣ ଗଛିତ ରଖିବା ପାଇଁ ଅନୁମତି ଦେଇଥାଏ । କିନ୍ତୁ ସେହି ସ୍ଥାନରେ ହିଁ କୌଣସି ଅନୁମତି ନଥାଇ ବର୍ଷ ତମାମ ବ୍ୟବସାୟ କରୁଛନ୍ତି ଅସାଧୁ ବାଣ ବ୍ୟବସାୟୀମାନେ । ପ୍ରଶାସନ ଦ୍ବାରା ଜାରୀ କରାଯାଇଥିବା ବାଣବିକ୍ରୀ ସୂଚୀ ପ୍ରକାରେ ବିଗତ ବର୍ଷ ଦୀପାବଳୀ ସମୟରେ ୧୩ ଜଣଙ୍କୁ ବାଣ ବିକ୍ରିକରିବା ପାଇଁ ଅନୁମତି ଦିଆଯାଇଥିଲା । ୧୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ମାତ୍ର ୯ ଦିନ ପାଇଁ ଏବଂ ଅନ୍ୟଜଣଙ୍କୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ । ଯାହାକି ୪ ମାସ ୧୧ ଦିନ ପର୍ଯ୍ୟନ୍ତ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ସମସ୍ତଙ୍କ ବାଣବିକ୍ରୀ ଅବଧି ସରିଯାଇଛି । ହେଲେ ଏମାନେ ଦୈନନ୍ଦିନ  କିରାଣା ଦୋକାନ ଭଳି ଖୋଲୁଛନ୍ତି । ତେବେ ଏହି ବାଣ ବ୍ୟବସାୟୀ ମାନେ ବେଧଡକ ଭାବେ ବାଣ ବିକ୍ରି କରୁଛନ୍ତି । ଜିଲ୍ଲା ପ୍ରଶାସନ ହେଉକି ଅଗ୍ନିଶମ ବିଭାଗ କିମ୍ବା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ଧରି କିଛି ରାଜନେତାଙ୍କ ଛତ୍ର ଛାୟାରେ ପୂର୍ବ ସରକାର ଅମଳରୁ ଚାଲି ଆସିଥିବା ବେଳେ ବର୍ତମାନ ବି ତାହା ଚାଲୁ ରହିଛି । ଅଭିଯୋଗ ପ୍ରକାରେ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ବଜାର ମଧ୍ୟରେ ମଧ୍ୟ ବେଆଇନ ଗୋଦାମ କରି ଲକ୍ଷ ଲକ୍ଷ ଟଙ୍କାର ବାଣ ଗଛିତ କରି ରଖୁଛନ୍ତି ଯାହା ବିପଦ ଜନକ ଅଟେ । କିନ୍ତୁ ସାହି ପଡୋଶୀ ଅଭିଯୋଗ କରନ୍ତି ତାହାହେଲେ ଧମକ ଦିଆଯାଉଛି ।  ଗ୍ରୀଷ୍ମ ପ୍ରବାହରେ ଉତ୍ତାପ ଯୋଗୁଁ ବିଭିନ ସ୍ଥାନରେ ଅଗ୍ନି ଜନିତ ଦୁର୍ଘଟଣ ମାନ ଘଟୁଥିବା ବେଳେ  ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳ ବାସିନ୍ଦା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ