ଅବକାରୀ ଚଢ଼ଉ: ମଦ ଜବତ ସହ ୨ ଗିରଫ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇ କେନ୍ଦୁଝର ଅବକାରୀ ଉପ ଅଧୀକ୍ଷକ ଦିବ୍ୟରଞ୍ଜନ ଦିପ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ଘଟଗାଁ ଓ ହାଟଡିହି ଅବକାରୀ କର୍ମଚାରୀମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ମଦ କାରବାର ଆଡ୍ଡା ନଷ୍ଟ କରିବା ଜଣାଯାଇଛି। ହାଟଡିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ପୁରୁଣାପାଣି ଓ କୁଶଟିକିରି, ଟିଲଗଡ଼ିଆ ଅଞ୍ଚଳରେ ଚଢ଼ଉ କରାଯାଇ ୩୭୩ ଲିଟର ଦେଶୀ ରନ୍ଧା ମଦ ଓ ୪୦୫୦ ଲିଟର ମହୁଲ ପୋଚ ଜବତ କରାଯିବା ସହିତ ଟିଲଗଡ଼ିଆ ଗ୍ରାମର ରାଜେନ୍ଦ୍ର କିସକୁ ଓ କୁଶଟିକିରି ଗାଁର ଅଜୁନ ଛାଟିଆଙ୍କୁ ଗିରଫ କରିଥିବା ଜଣା ଯାଇଛି। ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ଘଟଗାଁ ଅବକାରୀ ଥାନା ଓ ହାଟଡିହି ଅବକାରୀ ଥାନା ଅଧିକାରୀ ସିଧେଶ୍ଵର ମଲ୍ଲିକ, ସନ୍ତୋଷ ଦାସସହ ଉପନିରୀକ୍ଷକ ସୁଶାନ୍ତ ରାଉତ, ଆଳତୀ ମାରାଣ୍ଡି, କନେଷ୍ଟବଳ ଜଗମୋହନ ବେହେରା, ସୁରେଶ ବେହେରା, ଜଗୁ ନାୟକ, ଆରତୀ ବେହେରା ପ୍ରମୁଖ ସାମିଲ୍ ଥିଲେ | ଏନେଇ ଆନନ୍ଦପୁର ଅବକାରୀ ରେଞ୍ଜ ଥାନା ପକ୍ଷରୁ ୩ଟି ମାମଲା ରୁଜୁ କରାଯାଇଛି।


