ବେଆଇନ ବନ୍ଧୁକ ଚାଲାଣ: ୨ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍ ବେଆଇନ ଦେଶୀ ବନ୍ଧୁକ ଚାଲାଣ ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଏମାନଙ୍କ ଠାରୁ ଦୁଇଟି ବେଆଇନ ବନ୍ଧୁକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ରେଜିଙ୍ଗତାଲ୍ ଗ୍ରାମର ଅରୁଣ ଗମାଙ୍ଗ (୨୫) ଓ ପ୍ରତାପ ଗମାଙ୍ଗ (୩୧) । ସୂଚନା ମୁତାବକ ମଙ୍ଗଳବାର ରାତିରେ ଏସ୍.ଆଇ. ପ୍ରଫୁଲ ଜାଗାରଙ୍ଗା ଓ ତାଙ୍କ ଟିମ୍ ଡାକ୍ତର ବାଞ୍ଜିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ୨ଜଣ ଏକ ବାଇକରେ ପାରଳାଖେମୁଣ୍ଡିକୁ ବନ୍ଧୁକ ଧରି ଯାଉଥିବା ଦେଖି ପୁଲିସ୍ ସେମାନଙ୍କୁ ଅଟକାଇଥିଲା I ପୁଲିସ ସେମାନଙ୍କୁ ବନ୍ଧୁକ ପଞ୍ଜୀକୃତ ସମ୍ପର୍କିତ କାଗଜପତ୍ର ମାଗିଥିଲେ. ସେମାନଙ୍କ ପାଖରେ କୌଣସି କାଗଜପତ୍ର ନ ଥିବାରୁ ପୁଲିସ ଦୁଇ ବନ୍ଧୁକ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ଏନେଇ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।