ସମଣା ବାଲିଘାଟରୁ ବେଆଇନ ବାଲି ଉଠାଣ
ହାଟଡିହି, (ଓ୍ବାଇଏନଏସ) ହାଟଡ଼ିହି ତହସିଲ ଅନ୍ତର୍ଗତ ସମଣା ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଜଣାଯାଇଛି। ବାଲି ଘାଟ ଲିଜ୍ ନଥିବା ବେଳେ କିଛି ମୁଷ୍ଟିମେୟ ଲୋକ ଏଠାରୁ ବେଆଇନ୍ ଭାବେ ବାଲି ଉଠାଣ କରୁଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କିନ୍ତୁ କିଛିଦିନ ର ନିରବତା ପରେ ପୁଣି ଗତକାଲି ଠାରୁ ଆରମ୍ଭ ହୋଇଛି ବାଲି ଉଠାଣ। ପ୍ରତିଦିନ ୩୦ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ଯୋଗେ ବାଲି ପରିବହନ ହେଉଛି। ଖୁଲାମ ଖୁଲା ଦିନ ଦିପହରେ ବେଆଇନ୍ ବାଲି ଉତ୍ତୋଳନ ଓ ଚାଲାଣ କରାଯାଉଛି। ନିର୍ଦ୍ଦିଷ୍ଟ ଦୁଇ ତିନିଜଣ ବ୍ୟକ୍ତି ଏହି କାରବାର କରୁଥିବା ଜଣା ଯାଇଛି। ପୁର୍ବରୁ ଏହି ବାଲି ଉଠାଣକୁ ନେଇ ଏଠାରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ମଧ୍ୟ ଛକା ପଞ୍ଝା ଆରମ୍ଭ ହୋଇ ଗଲାଣି। ତେଣୁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଏହି ବେଆଇନ୍ ବାଲି ଉତ୍ତୋଳନ ଓ ପରିବହନ କୁ ବନ୍ଦ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।