ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୁଅ- ବୋହୂଙ୍କୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା’
କଟକ,(ଓ୍ବାଇଏନଏସ): ବୃଦ୍ଧ ପିତାମାତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପୁଅ-ବୋହୂଙ୍କ ଉଦ୍ଦେଶ୍ୟରେ ହାଇକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି । ମା’ଙ୍କ ଅର୍ଜିତ ସମ୍ପତ୍ତିରେ ପୁଅ କିମ୍ବା ବୋହୂଙ୍କର କୌଣସି ଆଇନଗତ ଅଧିକାର ନାହିଁ ଏବଂ ମା’ ଚାହିଁଲେ ଉକ୍ତ ଜମିରେ ଥିବା ଘରୁ ସେମାନଙ୍କୁ ବାହାର କରିଦେଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ମର୍ମରେ ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଆବେଦନକାରୀ ପୁଅ-ବୋହୂ ଚନ୍ଦ୍ରମଣି ସାମଲ ଓ ତାଙ୍କ ପତ୍ନୀଙ୍କ ପିଟିସନ୍କୁ ଖାରଜ କରି ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ହାଇକୋର୍ଟ କହିଛନ୍ତି ଯେ, ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା-୧୪ ଅନୁଯାୟୀ ମା’ଙ୍କ ନାମରେ ଥିବା ସମ୍ପତ୍ତିର ସେ ପୂର୍ଣ୍ଣ ମାଲିକାଣୀ ଏବଂ ସେହି ଘରେ ରହିବା ପାଇଁ ପୁଅ-ବୋହୂଙ୍କର କୌଣସି ଆଇନଗତ ଅଧିକାର ନାହିଁ । ଯେହେତୁ ସମ୍ପତ୍ତି ପୈତୃକ ନୁହେଁ, ତେଣୁ ସେଠାରେ ରହିବା ପାଇଁ ପୁଅର କୌଣସି ସାମ୍ବିଧାନିକ କିମ୍ବା ଆଇନଗତ ଅଧିକାର ନାହିଁ । ଏଭଳି କ୍ଷେତ୍ରରେ ବୟସ୍କ ପିତାମାତାଙ୍କୁ ନିର୍ଯାତନା ଦେଉଥିବା ସନ୍ତାନମାନଙ୍କୁ ଏହି ସଂପତ୍ତିରୁ ବେଦଖଲ କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ସୁକାନ୍ତି ସାମଲ ନାମକ ଜଣେ ବୃଦ୍ଧା ନିଜ ପୁଅ ଚନ୍ଦ୍ରମଣି ସାମଲ ଓ ବୋହୂଙ୍କ ବିରୋଧରେ ନିମ୍ନ ଅଦାଲତଙ୍କ ଦ୍ୱାରସ୍ଥ ହାଇଥିଲେ । ସୁକାନ୍ତି ଦର୍ଶାଇଥିଲେ ଯେ, ସେ ୧୯୮୯ ମସିହାରେ ପଞ୍ଜୀକୃତ ବିକ୍ରୟ ପତ୍ର ମାଧ୍ୟମରେ ସେ ଏକ ଜମି କିଣିଥିଲେ । ସେଠାରେ ଘର ନିର୍ମାଣ କରି ସ୍ୱାମୀଙ୍କ ସହ ରହି ଆସୁଛନ୍ତି । ପୁଅ ଓ ବୋହୂ ପ୍ରେମ ବିବାହ ପରେ ସେହି ଘରେ ରହୁଥିଲେ । ମାତ୍ର ପୁଅ ଓ ବୋହୂ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ଘରୁ ବାହାର କରିଦେବାକୁ ଧମକ ଦେଇଥିଲେ । ଏପରିକି ଗ୍ରାମ ସଭା ବସିଥିଲା । ପୁଅ-ବୋହୂ ଆଉ ନିର୍ଯାତନା ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହେଲା ନାହିଁ । ପରିସ୍ଥିତି ଏପରି ହୋଇଥିଲା ଯେ ବୃଦ୍ଧ ପିତାମାତା ନିଜ ଘର ଛାଡ଼ି ଅନ୍ୟ ପିଲାମାନଙ୍କ ପାଖରେ ଭଡ଼ାଘରେ ରହିବାକୁ ବାଧ୍ୟ ହୋଇଥିଲେ । ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୁକାନ୍ତି ବାଧ୍ୟହୋଇ ସିଭିଲ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ସିଭିଲ୍ କୋର୍ଟ ସୁକାନ୍ତିଙ୍କ ପକ୍ଷରେ ରାୟ ଦେଇ ପୁଅ-ବୋହୂଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ବିରୋଧ କରି ପୁଅ-ବୋହୂ ଜିଲ୍ଲାସ୍ତରୀୟ ଅପିଲ କୋର୍ଟରେ ମାମଲା କରିଥିଲେ । ଏହି ଆବେଦନକୁ ଅପିଲ କୋର୍ଟ ମଧ୍ୟ ଖାରଜ କରି ଦେଇଥିଲେ । ଶେଷରେ ପୁଅ-ବୋହୂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ଅବସରରେ ପୁଅ- ବୋହୂଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।


