ବାଘାଯତୀନ ବିକାଶ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବାଲେଶ୍ୱର (ଓ୍ବାଇଏନଏସ): ବାଘାଯତୀନ୍ ବିକାଶ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସହୀଦ ପୀଠ ସଭାକକ୍ଷରେ କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହୀଦ ପୀଠର ସମସ୍ୟା ସ୍ଥାୟୀ ପକ୍କା ପାଚେରୀ ନିର୍ମାଣ, ସବୁଦିନିଆ ପକ୍କା ରାସ୍ତା ପର୍ଯ୍ୟଟକ ନିବାସ ତଥା ସୁରକ୍ଷା ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି ଗାଡ଼ି, ଯାନବାହାନ ରଖିବା ନିମନ୍ତେ ଷ୍ଟାଣ୍ଡ୍ ଏବଂ ସହୀଦ ପୀଠର ସାମଗ୍ରୀକ ବିକାଶ ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଅଛି। ସଭା ଆରମ୍ଭରେ ସଂପାଦକ ସର୍ବେଶ୍ୱର ମହାନ୍ତି ପରିଷଦର ବାର୍ଷିକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ ଓ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଅଛି। ନୀଳଗିରି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ବରିଷ୍ଠ ଆଇନଜୀବୀ ମନୋଜ ନାୟକ, ଚଷାଖଣ୍ଡ ସରପଞ୍ଚ କେଦାର ସାହୁ, ନଗ୍ରମ ସରପଞ୍ଚ ବନୀତା ଭୂୟାଁ ପ୍ରମୁଖ ସ୍ମୃତି ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କର ରହଣି ନିମନ୍ତେ ସ୍ଥାୟୀ ଆବଶ୍ୟକୀୟ ଗୃହ, ସ୍ମୃତିପୀଠର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ଓ ଜଗୁଆଳ ନିଯୁକ୍ତି ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା। ଆଲୋଚନାରେ ଖୁବ୍‌ଶୀଘ୍ର ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ପର୍ଯ୍ୟଟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହ ପରିଷଦରେ ଏକ ପୋଲିସ୍ ବିଟ୍ ହାଉସ୍ ପ୍ରତିଷ୍ଠା ନିମନ୍ତେ ବାଲେଶ୍ୱର ଏସ୍‌.ପି. ଓ ଆଇ.ଜି.ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବାର ସ୍ଥିରୀକୃତ ହୋଇଅଛି। ବିଧାୟକ ଓ ସାଂସଦ ଦେଇଥିବା ଅନୁଦାନ ଟଙ୍କାକୁ ଓ ପର୍ଯ୍ୟଟନ ବିଭାଗ ପ୍ରଦତ୍ତ ଟଙ୍କାର ସଠିକ୍ ବିନିଯୋଗ ସକାଶେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଅଛି। ସହୀଦ ପୀଠର ଶୋଭାବର୍ଦ୍ଧନ ନିମନ୍ତେ ଏବଂ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି କମିଟି ସିଦ୍ଧାନ୍ତ ଗ୍ରହଣ କରିଅଛି। ଏହି ଆଲୋଚନାରେ ଶରତ ଚନ୍ଦ୍ର ରାଉତ, ଦେବେନ୍ଦ୍ର ନାୟକ, ପ୍ରଫୁଲ୍ଲ ବେହେରା, ଶ୍ରୀକାନ୍ତ ବୁଗୁଡ଼ାଇ, ଅଜିତ ବରାଳ, ଶ୍ରୀକାନ୍ତ ବାଗ୍‌, ସୁଦର୍ଶନ ଭୂୟାଁ, ଜୟନ୍ତୀ ପଣ୍ଡା, ସୁଦର୍ଶନ ବେହେରା, ଉପେନ୍ଦ୍ର ପାଣିଗ୍ରାହୀ, ଶଶିକାନ୍ତ ଜେନା, ଶଙ୍କର କୁମାର ବାରିକ, କ୍ଷିତିଶ କୁମାର ବାରିକ, ଶ୍ରୀତି ଚନ୍ଦନ ପଣ୍ଡା, ମେଘରାୟ ହାଁସଦା, ସିନିଙ୍ଗ ସୋରେନ୍‌, ସୁଂରାଇ ସୋରୋଇ, ସୋରଜ ଗୋଚ୍ଛାୟତ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ