ମାର୍ଚ୍ଚ ୬ରେ କଟକ ମହାନଗର ନିଗମ କାଉନ୍ସିଲ୍ର ଗୁରୁତ୍ବପୂର୍ଣ୍ଣ ବୈଠକ
କଟକ, (ଓ୍ବାଇଏନଏସ): ଆସନ୍ତା ୬ ତାରିଖରେ କଟକ ମହାନଗର ନିଗମର କାଉନ୍ସିଲ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନିଗମର ସମ୍ମିଳନୀ କକ୍ଷରେ ଶୁକ୍ରବାର ୱାର୍ଡୱାରୀ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଚିଠା ବଜେଟ୍କୁ ନେଇ ଆଲୋଚନା ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଆୟୋଜିତ ସମୀକ୍ଷା ବୈଠକରେ ପ୍ରଥମେ ୧ ରୁ ୩୦ ନମ୍ବର ୱାର୍ଡ କର୍ପୋରେଟର୍ ଯୋଗ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୨୯ଟି ୱାର୍ଡର କର୍ପୋରେଟର୍ ସାମିଲ ହୋଇଥିଲେ । ଆସନ୍ତା କାଉନ୍ସିଲ୍ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରାଯିବ । କାଉନସିଲ୍ରେ ବଜେଟ୍ ପାସ୍ ହେବା ପୂର୍ବରୁ କର୍ପୋରେଟରମାନଙ୍କ ସହ ଆଲୋଚନା କରାଯାଇ ଆୟ ବ୍ୟୟ ରିପୋର୍ଟ ଅନୁଧ୍ୟାନ କରାଯାଇଥିଲା । କର୍ପୋରେଟରମାନଙ୍କ ମତାମତ ସହାୟତାରେ ଚିଠା ବଜେଟ୍ରେ ସଂଶୋଧନ କରାଯାଇଥିବା ଜଣାପଡ଼ିଛି। ବୈଠକରେ ମେୟର ସୁବାସ ସିଂହ, କମସନର୍ କିରଣଦୀପ କୌର ସହୋତା, ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।


