ସାମ୍ନାକୁ ଆସିଲା କଟକ ବଡ଼ ଡ଼ାକ୍ତରଖାନା ଆଇସିୟୁ ଭିତରର ବିକଳ ଚିତ୍ର
କଟକ,(ଓ୍ବାଇଏନଏସ) : ସଂକଟାପନ୍ନ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଛି । ହେଲେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ କାହା ହାତରେ ସଂଯୋଗ ଥିବା ସାଲାଇନ୍ ଛୁଞ୍ଚିରୁ ପାଇପ୍ ବାହାରି ରକ୍ତ ଥପଥପ ବାହାରି ବେଡ୍ସିଟ୍ ଭିଜୁଛି ତ ଆଉ କିଏ ଯନ୍ତ୍ରଣାରେ ଛଟପଟ ହୋଇ ବେଡ୍ରୁ ତଳକୁ ଖସି ପଡୁଛି । ଆଇସିୟୁରେ ଗୁରୁତର ରୋଗୀଙ୍କର ଅସହାୟ ଅବସ୍ଥା ଓ ବିକଳ ଚିକିତ୍ସା ବ୍ୟବସ୍ଥାର ଏଭଳି ଚିତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭାଇରାଲ୍ ହେଉଥିବା ଆଇସିୟୁର ଏହି ଅଭାବନୀୟ ଦୃଶ୍ୟ ଏସ୍ସିବି ମେଡିସିନ୍ ବିଭାଗର ବୋଲି ଜଣାପଡ଼ିଛି। ନ୍ୟୁ ମେଡିସିନ୍ ବିଭାଗର ଦ୍ୱିତୀୟ ମହଲାରେ ଥିବା ଆଇସିୟୁରେ ରୋଗୀଙ୍କ ଦୟନୀୟ ଅବସ୍ଥାର ଏ ଫଟୋ ବୋଲି ଖବର ମିଳିଛି । ଏସସିବି ମେଡିକାଲର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ହଟଚମଟ ଲାଗି ରହିଛି । ଭିଡିଓର ତଦନ୍ତ ଲାଗି ଏସ୍ସିବି ଅଧୀକ୍ଷକ ଅତିରିକ୍ତ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଅଧୀକ୍ଷକ ତଦନ୍ତ ଆରମ୍ଭ କରି ସିସିଟିଭି ଆଦି ଯାଞ୍ଚ କରିଛନ୍ତି । ରୋଗୀ ଖସିଥିବା ସମୟରେ ଆଇସିୟୁ ଡ୍ୟୁଟି ରେଜିଷ୍ଟରରୁ ଅତିରିକ୍ତ ଅଧୀକ୍ଷକ ଡାକ୍ତର ଏବଂ ନର୍ସିଂଷ୍ଟାଫ୍ଙ୍କ ସମେତ ଆଟେଣ୍ଡାଣ୍ଟଙ୍କ ନାଁ ସଂଗ୍ରହ କରିଛନ୍ତି । ବେଡ୍ରୁ ଖସି ପଡ଼ିଥିବା ମହିଳା ରୋଗୀ ରାସାୟନିକ ବିଷକ୍ରିୟା ଜନିତ ରୋଗରେ ପୀଡ଼ିତ ଏବଂ ତାଙ୍କୁ ଫିଡ୍ସ୍ ବା ବାତ ମାରିବା ସମୟର ବୋଲି ତଦନ୍ତରୁ ଜଣାପଡ଼ିଛି । ବାତ ମାରିବା ସମୟରେ ସମ୍ପୃକ୍ତ ରୋଗୀ ଘୋଡ଼େଇ ହୋଇଥିବା ବେଡ୍ସିଟ୍ ଗୁଡ଼େଇ ହୋଇ ବେଡ୍ରୁ ତଳକୁ ଖସିପଡ଼ିଥିବା ତଦନ୍ତରୁ ଜଣାଯାଇଛି ବୋଲି ମେଡିସିନ୍ ବିଭାଗର ଜଣେ ଡାକ୍ତର କହିଛନ୍ତି । ଘଟଣାର ତଦନ୍ତ ଚାଲିଛି, ଏଥିରେ କର୍ତ୍ତବ୍ୟରେ ଅବହେଳା ଜଣାପଡ଼ିଲେ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଅଧୀକ୍ଷକ ଡାକ୍ତର ଜ୍ୟୋତିର୍ମୟ ନାୟକ କହିଛନ୍ତି । ମାତ୍ର ଏହି ଘଟଣାକୁ ନେଇ କୌଣସି ଅପପ୍ରଚାର କିମ୍ବା ଅତିରଞ୍ଜିତ କରି ପ୍ରସାର କରିବା ଉଚିତ୍ ନୁହେଁ ବୋଲି ଡାକ୍ତର ନାୟକ କହିଛନ୍ତି । ଆଇସିୟୁରେ ଶହ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ଯଦି ଜଣେ କେହି କିଛି ଅବବେଳା କରିଥାନ୍ତି ତାହେଲେ ସମୁଦାୟ ଆଇସିୟୁ ଚିକିତ୍ସା ବ୍ୟବସ୍ଥାକୁ କଦର୍ଥ କରି ଭିଡିଓ ଭାଇରାଲ୍ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏସ୍ସିବି ମେଡିକାଲ୍ରେ ଆଇସିୟୁ ଅଭାବ ଜନିତ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଛି । ଏହି ଅଭାବ ମଧ୍ୟରେ ଯେଉଁ କେତେକ ଗୁରୁତର ରୋଗୀ ଆଇସିୟୁରେ ଚିକିତ୍ସା ସୁବିଧା ପାଉଛନ୍ତି ସେମାନଙ୍କୁ ଦେଖାଶୁଣା କରିବାରେ ଅବହେଳା ହେଉଛି ବୋଲି ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଆଇସିୟୁରେ ରୋଗୀ ଅବହେଳାର ଦୟନୀୟ ଅବସ୍ଥାର ଭିଡିଓକୁ ଜଣେ ରୋଗୀ ସମ୍ପର୍କୀୟ ମୋବାଇଲ୍ରେ ରେକର୍ଡିଂ କରି ଛାଡ଼ିଥିବା ଜଣାଯାଇଛି ।


