ବନ୍ତକୁ ଏନଏସି ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୁଦ୍ଧିଜୀବି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମାକୁ ଏନଏସି ମାନ୍ୟତା ଦେବା ନେଇ ଆଜି ବନ୍ତ ଅଞ୍ଚଳର ବୁଦ୍ଧିଜୀବି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ଭୁବନେଶ୍ୱରସ୍ଥିତ ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ତଥା ସମାଜସେବୀ ଇଂ.ମନ୍ମଥ କୁମାର ରାଉଳ, ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବନ୍ତ ସଦର ମହକୁମାକୁ ଏନଏସି ମାନ୍ୟତା ଦେବା ନେଇ ଦାବୀ ଜଣାଇଥିଲେ । ପ୍ରକାଶ ଥାଉକି, ବନ୍ତ ସଦର ମହକୁମାକୁ ଏନଏସି ମାନ୍ୟତା ଦେବା ନେଇ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି । ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥରେ ବନ୍ତ ସଦର ମହକୁମା ଅବସ୍ଥିତ ଥିବା ବେଳେ ଏଠାରେ ବ୍ଲକ, ତହସିଲ, ଥାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ରେଜେଷ୍ଟି ଅଫିସ, ଜଳ ସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । ଦୈନନ୍ଦିନ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟରେ ଲୋକ ମାନେ ଆସୁଛନ୍ତି । ଏହି ସଦର ମହକୁମା ଭଦ୍ରକ-ଆନନ୍ଦପୁର, ବନ୍ତ-ବାରିକପୁର, ବନ୍ତ-ଆଗରପଡା, ବନ୍ତ-ଛତାବର ଆଦି ରାସ୍ତାକୁ ସଂଯୋଗ କରୁଛି । ତେବେ ଭୌଗଳିକ ଦୃଷ୍ଟି କୋଣ, ଜନସଂଖ୍ୟା ସହିତ ଏନଏସି ପାଇଁ ସରକାରଙ୍କର ସମସ୍ତ ଗାଇଡ ଲାଇନକୁ ଏହି ସଦର ମହକୁମା ପୂରଣ କରୁଥିବାରୁ ଏହାକୁ ଏନଏସି ମାନ୍ୟତା ଦେବା ପାଇଁ ବନ୍ତ ଅଞ୍ଚଳର ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷାବିତ୍‌, ବରିଷ୍ଠ ନାଗରିକ, କୃଷକ ଓ ସମସ୍ତ ଜନସାଧାରଣ ଦାବୀ କରିଆସୁଛନ୍ତି । ତେବେ ରାଜ୍ୟ ସରକାର ବନ୍ତ ଅଞ୍ଚଳବାସୀଙ୍କର ଏହି ଦାବୀକୁ ଗୁରୁତ୍ୱ ଦେଇ ବନ୍ତକୁ ଏନଏସି ମାନ୍ୟତା ଦେବେ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ