ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଗଣେଶ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମଂଚାସୀନ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ସହ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ.ମନୋଜ କୁମାର ପଟ୍ଟନାୟକ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ l ପରେ ଛାତ୍ର ଶକ୍ତି, ଦୀପକ, ରୋଜା, ବିଭୂପ୍ରିୟା ଆଦିଙ୍କ ଦ୍ୱାରା ସମବେତ ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଂଚାସୀନ ଥିଲେ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଓ ସମ୍ମାନିତ ବକ୍ତା ପ୍ରାକ୍ତନ ଦକ୍ଷିଣାଞ୍ଚଳ ଶିକ୍ଷା ନିର୍ଦ୍ଦେଶକ ତଥା କବି କୈଳାସ ଚନ୍ଦ୍ର ତ୍ରିପାଠୀ l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ବିଶ୍ୱବିଦ୍ୟାଳୟ ଛାତ୍ରକଲ୍ୟାଣ ଅଧିକାରୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ l ସେ ପ୍ରାରମ୍ଭିକ ସୂଚନା କ୍ରମରେ ବହୁଭାଷୀ ଶିକ୍ଷା ଉପରେ ଯୁବପିଢ଼ିଙ୍କ ସ୍ୱର ଉପରେ ଗୁରୁତ୍ୱାରୋପ ସହ ମାତୃଭାଷାର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା ପୂର୍ବକ ଅନ୍ୟ ମାତୃଭାଷା ପ୍ରତି ଶ୍ରଦ୍ଧା ଓ ସମ୍ମାନ ନିବେଦନ କରିବା ନିମନ୍ତେ ପରାମର୍ଶ ଦେଇ ଭାଷାଗତ ସହନଶୀଳତା ରକ୍ଷା କରିବାକୁ କହିଥିଲେ l ମଂଚାସୀନ ଉଦଘାଟକ ଡ. ମନୋଜ କୁମାର ପଟ୍ଟନାୟକ ଉଦଘାଟନୀ ଅଭିଭାଷଣରେ ଅନ୍ତର୍ଜାତୀୟ ମାତୃଭାଷା ପାଳନର ଇତିହାସ ଓ ତାପ୍ତର୍ଯ୍ୟ ଦର୍ଶାଇବା ସହ ଛାତ୍ରଛାତ୍ରୀଙ୍କୁ ମାତୃଭାଷାର ଅଭିବୃଦ୍ଧି ନିମନ୍ତେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଛାତ୍ରଛାତ୍ରୀମାନଙ୍କୁ ନିଜ ମାତୃଭାଷା ପ୍ରତି ଶ୍ରଦ୍ଧାଶୀଳ ହେବା ଏବଂ ସର୍ବଦା ନିଜ ମାତୃଭାଷା ବ୍ୟବହାର କରିବା ପାଇଁ ପ୍ରେରଣା ଦେଇଥିଲେ l ଅନ୍ୟତମ ସମ୍ମାନିତ ବକ୍ତା ଡ. କୈଳାସ ଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ରଚିତ ସାହିତ୍ୟ ପାଠ କରିବା ସହ ନିଜେ ମାତୃଭାଷା ରେ ସାହିତ୍ୟ ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଥିଲେ l ମୁଖ୍ୟ ଅତିଥି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ମହତ୍ତ୍ୱ ଓ ଉପଯୋଗିତା ସମ୍ପର୍କରେ ଆଲୋଚନା କରିବା ସହ ବିଶ୍ୱର ବିଭିନ୍ନ ଦେଶ ନିଜର ମାତୃଭାଷା ମାଧ୍ୟମରେ କିପରି ପ୍ରଗତି କରିଛନ୍ତି ତା ‘ ଉପରେ ଆଲୋକପାତ କରିଥିଲେ l ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସୌରଭ, ତୁଷାର, ଶେଖର, ମାତୃପ୍ରସାଦ ଦେବାଶିଷ, ବିଭୂତି ଭୂଷଣ, ସାହୁ ପୂଜା ହରିହର, ଆର. ଧବଳେଶ୍ୱର, ବିଜୟଲକ୍ଷ୍ମୀ, ସମୀର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହ ଏହି କୃତୀ ପ୍ରତିଯୋଗୀମାନେ ନିଜ ବକ୍ତବ୍ୟରେ ମାତୃଭାଷାର ମହତ୍ତ୍ୱ ପ୍ରତିପାଦନ କରିଥିଲେ l ଶେଷରେ ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ସ୍ବର୍ଣ୍ଣଲତା ବିଷୋୟୀଙ୍କ ସମେତ ଓଡ଼ିଆ ବିଭାଗର ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଇଂରାଜୀ ବିଭାଗର ଅଧ୍ୟପିକା ଶ୍ରୀମତୀ ଚିନ୍ମୟୀ ସାହୁ, ଅଧ୍ୟାପିକା ନୟନିକା ମହାପାତ୍ର , ଅଧ୍ୟାପିକା ସୁହାସିନୀ ବିଶ୍ୱାଳ, ହିନ୍ଦୀ ବିଭାଗର ଅଧ୍ୟାପିକା ପୂଜା ପଲାଇ, ଅଧ୍ୟାପିକା ଅର୍ପିତା ଜେନା ପ୍ରମୁଖଙ୍କ ସହ ବହୁ ବିଭାଗର ଛାତ୍ରଛାତ୍ରୀ ଯୋଗଦେଇ ମାତୃଭାଷାର ଗୌରବ ରକ୍ଷା କରିବା ଦିଗରେ ପ୍ରମୁଖ ଯୋଗଦାନ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ