ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗାଁ ସାଥି ମେଟ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି, କେନ୍ଦୁଝର ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ନଗରଭବନଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ଦ୍ୱୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଆବାହକ ମନୋଜ କୁମାର ପଟେଲଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ଯୋଗଦେଇ ଦେଶର ବିକାଶରେ ଶ୍ରମଦାତାମାନଙ୍କର ତୁଳନା ନାହିଁ ବୋଲି କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା- ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା କିଭଳି ସୁଦୂରପ୍ରସାରୀ ହୋଇପାରିବ ସେ ଦିଗରେ ଶ୍ରୀ ନାଏକ ଗୁରୁତ୍ୱଆରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରମିକ ନେତା ତଥା ଆଇନଜୀବି ଯତୀନ୍ଦ୍ର କୁମାର ବେହେରା ଯୋଗଦେଇ ଶ୍ରମ ବିଭାଗ ଦ୍ୱାରା ଶ୍ରମିକମାନଙ୍କ ପାଇଁ ପ୍ରବର୍ତ୍ତନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ରୂପରେଖ ଅବଗତ କରାଇବା ସହ ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜିକରଣ ପାଇଁ ସମସ୍ତେ ମିଳିମିଶି କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ତେଲକୋଇ ବିଧାୟକ ଡ଼ା ଫକୀର ମୋହନ ନାଏକ,ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବିବେକାନନ୍ଦ ମହାନ୍ତ,କେନ୍ଦୁଝର ଜିଲ୍ଲା ସରପଂଚ ସଂଘ ସଭାପତି ଭାଗିରଥି ସିଂ,ଗାଁ ସାଥି ମେଟ ସଂଘ ମିଳିତ କି୍ରୟାନୁଷ୍ଠାନ କମିଟି ର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଯୋଗଦେଇ ଆନ୍ତର୍ଜାତୀୟ ଶ୍ରମ ଦିବସର ମହାତ୍ମ ଏବଂ ଶ୍ରମିକ ଭାଇଭଉଣୀଙ୍କ ପାଇଁ ଏହି ଦିବସର ତାତ୍ପର୍ୟ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଭାଇଭଉଣୀଙ୍କ ନିମନ୍ତେ ଗ୍ରହଣ କରୁଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ତଥା ସର୍ବାଧିକ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇଥିବା ୯ଜଣ ସରପଞ୍ଚ ,୨ ଜଣ ହିସାବ ରକ୍ଷକ ତଥା ତଥ୍ୟ ପ୍ରବେଶକ ଓ ୬ ଜଣ ଗାଁ ସାଥୀମେଟ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ କୁ ସଂଘ ର ସୁଧୀର ମହାନ୍ତ,ପୁରନ୍ଦର ମହାନ୍ତ,ମୋହନ ମହାନ୍ତ,ମନୋ ସରୋଜ ପଣ୍ଡା,ବିଜୟ ମୁଦି,ରମେଶ ମହାନ୍ତ,ଜଗବନ୍ଧୁ ସର୍ଦ୍ଦାର,ବାବୁଲା ନାଏକ,ମାଟୁରାମ ମୁଣ୍ଡା,ଆର୍ତ୍ତତ୍ରାଣ ମହାନ୍ତ,ଦାଶରଥି ନାଏକ,ତ୍ରିଲୋଚନ ମହାନ୍ତ ,ଖଗେଶ୍ୱର ନାଏକ,ଦିଲ୍ଲୀପ କୁମାର ନାଏକ,ସୁମିତ୍ରା ଗିରି,ରଞ୍ଜିତା ନାଏକ,ଶୁଶିଳା ନାଏକ ପରିଚାଳନା ଓ ପ୍ରଶ୍ନ କୁମାର ନାଏକ କାର୍ୟ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।


