ନାଉଗାଁ ବ୍ଲକରେ ଏକ ପେଡ ମା’ କେ ନାମ୍ ପ୍ରକଳ୍ପରେ ଅନିୟମିତତା

ନାଉଗାଁ,(ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ଅବସରରେ ପ୍ରତି ବ୍ଳକର ପଂଚାୟତମାନଙ୍କରେ ଚାରାରୋପଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶାନୁସାରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୨୭୩୩ ତା ୨୫ ଅଗଷ୍ଟ ୨୦୨୫ ରେ ୧୬ ଟି ପଂଚାୟତରେ ଏକ ପେଡ ମା’ କେ ନାମ ପ୍ରକଳ୍ପ ଜରିଆରେ ଚାରାରୋପଣ ପାଇଁ ଆକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇଛି। ଏହି ଆକ୍ସନ ପ୍ଳାନ ଅନୁସାରେ ୧୬ଟି ପଂଚାୟତରେ ସ୍ଥାନ ନିରୁପଣ କରାଯାଇଥିବା ବେଳେ ପ୍ରତି ପଂଚାୟତରେ ୫ ଶହ ଚାରାରୋପଣ କରାଯିବା ପାଇଁ ପତ୍ରରେ ଉଲ୍ଲେଖ ରହିଛି। ସମୁଦାୟ ବ୍ଳକରେ ୮ ହଜାର ଚାରାରୋପଣ କରାଯିବା ପାଇଁ ୬୪ଟି ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ଏଥିପାଇଁ ୩୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।ଏହି ଚାରାରୋପଣ ପାଇଁ ଶ୍ରମିକ ବାବଦକୁ ୧୭ ଲକ୍ଷ ୪୪ହଜାର ଓ ମ୍ୟାଟେରିଆଲ ବାବଦକୁ ୧୭ ଲକ୍ଷ ୪୪ ହଜାର ଟଙ୍କା ରହିଛି। ଏହି ଚାରାରୋପଣ ପାଇଁ ୬ହଜାର ୩୮୮ଟି ଶ୍ରମ ଦିବସ ସୃଷ୍ଟି କରାଯିବାର ବ୍ୟବସ୍ଥା ରହିଛି। ଏହି ଚାରାରୋପଣ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହି ପ୍ରକଳ୍ପରେ ଜବକାର୍ଡଧାରୀମାନେ କାର୍ଯ୍ୟ କରିବା ପାଇଁ ନିୟମ ରହିଛି। ବର୍ତମାନ ଜଳବାୟୁର ପରିବର୍ତନ ଯୋଗୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଉକ୍ତ ପ୍ରକଳ୍ପ ମାଧ୍ୟମରେ ଚାରାରୋପଣ ଫଳରେ ପରିବେଶରେ ସବୁଜ ବଳୟ ସୃଷ୍ଟି ହେବା ସହ ଜବକାର୍ଡଧାରୀମାନେ ନିଜ ଅଂଚଳରେ କିଛି କାର୍ଯ୍ୟ ପାଇ ପାରିବେ। ଯେଉଁ ଉଦ୍ଦେଶ୍ୟ ରଖି ସରକାର ଉକ୍ତ ଯୋଜନା ପ୍ରଣୟନ କରିଛନ୍ତି ତାହାର ଓଲଟା ଦୃଶ୍ୟ ଏହି ବ୍ଳକରେ ଦେଖିବାକୁ ମିଳିଛି। ମୋଦିଙ୍କ ଜନ୍ମ ଦିନ ପୂର୍ବରୁ ଏହି ବ୍ଳକର କିଛି ପଂଚାୟତରେ ଚାରାରୋପଣ କରାଯାଇଥିବା ବେଳେ ଖୋଲାଖୋଲି ଭାବେ ସରକାରଙ୍କ ନିୟମକୁ ଉଲଘଂନ କରିଥିବା ଜଣାଯାଇଛି। ନିୟମାନୁସାରେ ୮ ଫୁଟରେ ୮ ଫୁଟ ବ୍ୟବଧାନରେ ଗଛ ଲଗାଇବା ସହିତ ଖୋଳା ଯାଇଥିବା ଗାତ ଏକ ଫୁଟ ଗଭୀର ରହିବ। ଉକ୍ତ ଗାତକୁ ଜବକାର୍ଡଧାରୀଙ୍କ ସାହାର୍ଯ୍ୟରେ ଖୋଳାଯିବ। ଗଛ ଲଗାଯିବା ପରେ ତା’ର ରକ୍ଷାଣବେକ୍ଷଣ ପାଇଁ ଗଛର ଚତୁଃପାଶ୍ୱର୍ରେ ବାଉଁଶ ପାତରେ ବାଡ ଘେରା କରାଯିବ। କିନ୍ତୁ ଏହି ବ୍ଳକର କିଛି ପଂଚାୟତରେ ତରବରିଆ ଭାବେ ଦାଦନ ଶ୍ରମିକ ଓ ମେସିନ ମାଧ୍ୟମରେ ଗାତ ଖୋଳୁଥିବା ବେଳେ ୪ ଫୁଟ ବ୍ୟବଧାନରେ ଚାରାରୋପଣ କରାଯାଉଛି। ସେହିପରି ଖୋଳା ଯାଉଥିବା ଗାତର ଗଭୀର ମାତ୍ର ଚାଳଣ୍ଡେ ରହୁଛି। ଯାହାଫଳରେ ଯେଉଁ ଚାରାରୋପଣ କରାଯାଇଛି ତାହା ମରିବାକୁ ବସିଲାଣି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନାଉଗାଁ ପଂଚାୟତର ସାଧୁଗୋସ୍ୱାମୀ ପୀଠ ପରିସର ଓ ଅମୃତ ସରୋବର ବନ୍ଧ ଚତୁଃପାଶ୍ୱର୍। ଚାରାରୋପଣ କରାଯାଇଥିବା ବେଳେ ଉକ୍ତ ସୂଚନା ବିଡିଓଙ୍କ ପାଖରେ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂକ୍ରାନ୍ତରେ ବିଡିଓ ନିରଞ୍ଜନ ପରିଡାଙ୍କୁ ପଚାରିବାରେ ଚାରାରୋପଣ ବିଷୟରେ ମୁଁ ଜାଣିନାହିଁ , କିଏ ଚାରାରୋପଣ କରିଛନ୍ତି ବୁଝିକି କଥା ହେବି ବୋଲି ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ