ମଣ୍ଡିରେ ଧାନ କିଣାରେ ଅନିୟମିତତା ପ୍ରସଙ୍ଗ: ଧାନମଣ୍ଡିର ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବାକୁ ବିଧାୟକଙ୍କ ଦାବି
ହାଟଡିହି (ଓ୍ବାଇଏନଏସ): ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଛି। ସମିତିର ସମ୍ପାଦକ, ମିଲରଙ୍କ ମଧୁ ଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି। ଏପରି ଅଭିଯୋଗ ଆଣିଛନ୍ତି ଖୋଦ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ସେ ଜିଲ୍ଲା ଡି.ଏଲ. ପି.ସି ବୈଠକରେ ଏହି ପ୍ରସଙ୍ଗ ଉଠାଇ ଧାନମଣ୍ଡିରେ ଲାଗିଥିବା ସି ସି ଟିଭି ର ଫୁଟେଜକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ପ୍ରଶାସନ ଏହି ସିସି ଟିଭି ଫୁଟେଜ କୁ ଯାଞ୍ଚ କଲେ ସମିତିରେ ହେଉଥିବା ଅନିୟମିତତାର ପ୍ରମାଣ ପାଇଯିବ ବୋଲି ସେ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାଇ ସମିତି ମାନଙ୍କରେ ଧାନ ମଣ୍ଡି ଖୋଲିଥିବା ବେଳେ ମିଲର ମାନେ ମଣ୍ଡିରୁ ଧାନ ଉଠାଇବା ପାଇଁ ସରକାରଙ୍କ ବ୍ୟବସ୍ଥା ଅଛି। କିନ୍ତୁ ମିଲର ମାନେ ସମିତିରୁ କମ ପରିମାଣର ଧାନ ଉଠାଉଥିବା ବେଳେ ବେପାରୀ ଓ ଦଲାଲ ମାନଙ୍କ ଜରିଆରେ ଅଧିକ ଧାନ କିଣୁଛନ୍ତି। ଦଲାଲ ମାନେ ଟ୍ରିପ ଟ୍ରିପ ଧାନ ନେଇ ମିଲରେ ପକାଉଥିବା ବେଳେ ପରବର୍ତ୍ତୀ ସମୟରେ ସେହି ଧାନକୁ ଚାଷୀଙ୍କ ନାମରେ ମଣ୍ଡି ରେ ପକାଯାଇଥିବା ଦର୍ଶାଯାଉଛି। ମିଲର ସେହି ଧାନକୁ ମଣ୍ଡି ରୁ ଉଠାଇଥିବା ଦର୍ଶାଇ ସରକାରଙ୍କ ଠାରୁ ଗାଡିଭଡା, ଶ୍ରମିକ ଖର୍ଚ ଆଦି ଉଠାଉଛନ୍ତି। ଏପରି ବ୍ୟବସ୍ଥାରେ ମିଲର ଓ ସମିତି ସମ୍ପାଦକ ମାଲେମାଲ ହେଉଥିବା ବେଳେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତି ମଣ୍ଡି ରେ ସିସି ଟିଭି ଲାଗିଥିବା ବେଳେ ଯଦି ଗତବର୍ଷର ସିସି ଟିଭି ଯାଞ୍ଚ କରାଯିବ ତେବେ ଗତ ବର୍ଷ କେଉଁ କେଉଁ ମଣ୍ଡିକୁ କେଉଁ କେଉଁ ମିଲରଙ୍କ କେତୋଟି ଗାଡି ଆସିଛି ଓ କେଉଁ ମିଲ ସରଜରଙ୍କ ଠାରୁ ଗାଡି ଭଡା ବାବଦକୁ କେତେ ଟଙ୍କା ନେଇଛନ୍ତି, ଏଥିରେ କେତେ ଟଙ୍କାର ଦୁର୍ନୀତି ହୋଇଛି ତାହାର ସ୍ପଷ୍ଟ ପ୍ରମାଣ ମିଳି ପାରିବ ବୋଲି ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି। ଏନେଇ ସେ ବିଧାନ ସଭାରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।


