ଅଲଣା ପଂଚାୟତରେ ରାସ୍ତା ନିର୍ମାଣରେ ଅନିୟମିତତା: ତଦନ୍ତ ନ ହେଲେ ଆମରଣ ଅନଶନ ପାଇଁ ଚେତାବନୀ
ନାଉଗାଁ(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତରେ ନିର୍ମାଣ କରାଯାଇଥିବା ପଂଚାୟତ ରାସ୍ତାରେ ଅନିୟମିତତା ହୋଇଥିବା ନେଇ ସଠଳପୁର ଗ୍ରାମର କୃତିବାସ ମିଶ୍ର ବିଡିଓ ନିରଞ୍ଜନ ପରିଡାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଠିକ୍ ଭାବେ ଉକ୍ତ ରାସ୍ତାର ତଦନ୍ତ କରା ନ ଗଲେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗ ମୁତାବକ ଉକ୍ତ ପଂଚାୟତ ମଧୁପୁର ଗ୍ରାମର ସରପଂଚ ଚନ୍ଦ୍ରମଣୀ ବେହେରାଙ୍କ ଘର ନିକଟରୁ ରବିନ୍ଦ୍ର ବେହେରା ଗୃହ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା ରାସ୍ତାର ରବିନ୍ଦ୍ର ବେହେରାଙ୍କ ଘରବାରୀ ପ୍ଳଟ ଅଟେ। ରବିନ୍ଦ୍ର ବେହେରା ଦୀର୍ଘ ୮ ମାସ ହେବ ମୃତ୍ୟୁବରଣ କରିଛନ୍ତି। ତେଣୁ ଉକ୍ତ ରାସ୍ତା ନିର୍ମାଣ ସମୟରେ ରବିନ୍ଦ୍ର ମୃତ ହୋଇଥିବା ବେଳେ ସରକାରୀ ଖାତାରେ କିପରି ଉକ୍ତ ପ୍ଳଟକୁ ପଂଜୀକୃତ କରାଯାଇ ରାସ୍ତା ନିର୍ମାଣ କରାଗଲା। ସେହିପରି ବେଣାପଡା ଗ୍ରାମର କୁଶନ ଦାସ ଘରକୁ ନିର୍ମାଣ କରାଯାଇଥିବା ରସ୍ତାଟି ଘରବାରୀ ପ୍ଳଟ ହୋଇଥିବା ବେଳେ କୁଶନ ଦାସ ଦୀର୍ଘ ୧୦ବର୍ଷ ହେଲାଣି ମୃତ୍ୟୁ ବରଣ କରିସାରିଛନ୍ତି। ତେବେ ଉକ୍ତ ପ୍ଳଟ କିପରି ପଂଜୀକୃତ ହୋଇ ରାସ୍ତା ନିର୍ମାଣ କରାଗଲା। ଏହାର ସଠିକ ତଦନ୍ତ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ତଦନ୍ତ କରାଯିବ ବୋଲି ବିଡିଓ ନିରଞ୍ଜନ ପରିଡା ମତବ୍ୟକ୍ତ କରିଛନ୍ତି।