ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା: ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ବିଚ୍ଛିନ୍ନ ହେଲା ବିଦ୍ୟୁତ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ନୂଆଗାଁ ପଂଚାୟତ ଅନ୍ତର୍ଗତ ଖଇରାବସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି। ଏହି ବିଦ୍ୟାଳୟକୁ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ଯୋଗୁ ଦୀର୍ଘ ୬ ବର୍ଷ ପରେ ଏହି ବିଦ୍ୟାଳୟରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। କାହା ନିର୍ଦ୍ଦେଶରେ ଏହି ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇ ବ୍ୟବହାର ହୋଇ ଆସୁଥିଲା ତାହା ଏବେବି ସ୍ପଷ୍ଟ ଜଣାପଡୁନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସଙ୍କ କହିବା ମୁତାବକ ସେ ବିଦ୍ୟାଳୟରେ ଯୋଗ ଦେବା ପୂର୍ବରୁ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ପ୍ରତି ମାସରେ ବିଦ୍ୟୁତ କର୍ମଚାରୀ ଆସି ମିଟର ଫଟୋ ଉଠାଇ ନିଅନ୍ତି କିନ୍ତୁ କୌଣସି ବିଦ୍ୟୁତ ବିଲ୍ ପ୍ରଦାନ କରନ୍ତି ନାହିଁ। ଯାହାଫଳରେ ସେମାନେ ବିଦ୍ୟୁତ ବିଲ୍ ପ୍ରଦାନ କରୁନାହିଁ। ବିଲ୍ ସଂପର୍କରେ ବିଦ୍ୟୁତ କାର୍ଯ୍ୟାଳୟରୁ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। କିନ୍ତୁ ମାର୍ଚ୍ଚ ୧୦ ତାରିଖରେ ହଠାତ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ବିଦ୍ୟାଳୟକୁ ଆସି ଏକ ନୋଟିସ ପ୍ରଦାନ କରି ବିଦ୍ୟାଳୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ହୋଇଥିବା ଦର୍ଶାଇଥିଲେ। ଏହାପରେ ବିଭାଗ ପକ୍ଷରୁ ବିଦ୍ୟାଳୟରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ନିଆଯାଇ ବିଦ୍ୟୁତ ବ୍ୟବହାର କରାଯାଇଥିବାରୁ ଟାଟା ପାୱାର ପକ୍ଷରୁ ପାଖାପାଖି ୧ଲକ୍ଷ ୧୮ହଜାର ଟଙ୍କା ଜୋରିମାନା ବିଦ୍ୟାଳୟ ନାମରେ କରାଯାଇଛି। ଏହି ମାମଲା ଲୋକ ଅଦାଲତରେ ପଡିଥିବା ପ୍ରଧାନ ଶିକ୍ଷୟିତ୍ରୀ ଦାସ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ବିଦ୍ୟାଳୟକୁ ଆସୁଥିବା କମ୍ପୋଜିଟ ଗ୍ରାଂଟରୁ ମାସିକ ବିଦ୍ୟୁତ ବିଲ ପୈଠ କରାଯାଏ। ବର୍ତମାନ ଉକ୍ତ ବିଦ୍ୟାଳୟରେ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଜୋରିମାନା ହୋଇଥିବା ବେଳେ ତାହା କିପରି ଭରଣା କରାଯିବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବର୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟାଳୟରେ ଫ୍ୟାନର ଆବଶ୍ୟକତା ରହିଛି। ତେଣୁ ବିଦ୍ୟୁତ ବିଚ୍ଛିନ୍ନ ହେବା ଦ୍ୱାରା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଏହି ବିଦ୍ୟାଳୟକୁ ଦୀର୍ଘ ୬ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ବିଦ୍ୟୁତ ମିଟର ଲଗାଯାଇ ବିଦ୍ୟୁତ ସଂଯୋଗ ହୋଇ ବିଦ୍ୟୁତ ବ୍ୟବହାର ହେଉଥିଲେ ମଧ୍ୟ ବିଦ୍ୟୁତ ବିଭାଗ କିପରି ଜାଣି ପାରିଲା ନାହିଁ, ତାହା ତଦନ୍ତ ସାପେକ୍ଷ। ଜିଲ୍ଲା ପ୍ରଶାସନ ଏହାର ସଠିକ୍ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାମଜସେବୀ ସୁବ୍ରତ ରାୟ, ଅଭିଭାବକ ଦେବଦର୍ଶୀ ରାୟ, ଅଭିଜିତ ରାୟ, ଦେବାଶିଷ ରାୟ ପ୍ରମୁଖ ଦାବି କରିଛନ୍ତି। ଏସଂର୍ପକରେ ନାଉଗାଁ ସେକ୍ସନର କନିଷ୍ଠ ଯନ୍ତ୍ରୀ ତାପସ ବେହେରାଙ୍କୁ ପଚାରିବାରୁ ବିଦ୍ୟାଳୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇ ବିଦ୍ୟୁତ ବ୍ୟବହାର କରାଯାଉଥିବାରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଜୋରିମାନା ଅର୍ଥ ପୈଠ କରି ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କଲେ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିଲେ।


